ରାଉରକେଲା:ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା । ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାକୁ ନେଇ ପୋଲିସ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଛାଡପତ୍ର ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ ସୁସ୍ମିତା । ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ନେଇ ସେ ଦର୍ଶାଇଥିଲେ । ସ୍ୱାମୀ ସୁଶୀଲଙ୍କ ନିର୍ଯାତନା ସହି ନପାରି ସେ ଛାଡପତ୍ର ଆବେଦନ କରିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୁସ୍ମିତାଙ୍କ ଓକିଲ । ସୁସ୍ମିତାଙ୍କ ଅଭିଯୋଗ ଅନୁଯାୟୀ, "ସ୍ୱାମୀ ସୁଶୀଲ ଜଣେ ମଦ୍ୟପ । ବିବାହ ପରଦିନ ଠାରୁ ମଦ ପିଇ ସୁସ୍ମିତାଙ୍କ ଉପରେ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ ସୁସ୍ମିତା ।" ବିବାହ ପରେ ସ୍ୱାମୀଙ୍କ ସହ କୌଣସି ସମ୍ପର୍କ ନଥିବା ନେଇ ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।
ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସରେ ଜମିଜମା ବିଭାଗରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା ରୋଚକ ମୋଡ଼ ନେଇଛି । ବର୍ତ୍ତମାନ ଏହି ଖବର ସମ୍ପୂର୍ଣ୍ଣ ରାଉରକେଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ କିଭଳି ଏବଂ କେଉଁ ପରିସ୍ଥିତିରେ ସୁସ୍ମିତାଙ୍କ ମୃତ୍ୟୁ ହୋଇଛି ତାହାକୁ ନେଇ ବଢୁଛି ସସପେନ୍ସ । ଏହାରି ମଧ୍ୟରେ ଜେରା ପରେ ଜେରା ହେଉଥିବାବେଳେ ତଦନ୍ତ ମଧ୍ୟ ଜୋରଦାର ଚାଲିଛି ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ଖୁବଶୀଘ୍ର ଏହି ଘଟଣାରେ ସତ୍ୟତା ସାମ୍ନାକୁ ଆସିବ ବୋଲି ସୂଚନା ରହିଛି । ପୂର୍ବରୁ ସୁସ୍ମିତା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଛାଡପତ୍ର ପାଇଁ ଆବେଦନ କରାଯାଇଥିଲା । ଯାହାକୁ ନେଇ ଅନେକ ତଥ୍ୟ ପୋଲିସ ହାତରେ ଲାଗିଛି ।
ଏହା ବି ପଢନ୍ତୁ...ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଜିଲ୍ଲାପାଳ