ରାଉରକେଲା: ଝିରିପାଣି ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କ । 24 ଘଣ୍ଟାରେ କୋଟିଏ ଟଙ୍କା ନଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଚିଠିରେ ହୋଇଛି ଉଲ୍ଲେଖ । ଖାଦାନଢିପା ଅଞ୍ଚଳର ଏକ ଘର କାନ୍ଥରେ ଲାଗିଛି ଧମକପୂର୍ଣ୍ଣ ଚିଠି ।
ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା ଏହା ସହିତ ଟଙ୍କା ନଦେଲେ ଗାଡି ପୋଡ଼ି ଦେବାକୁ ଦେଲେ ଧମକ । ସ୍ଥାନୀୟ ଅଞ୍ଚଳରେ ଏକ ପିକ ଅପ ଭ୍ୟାନ କୁ ପୋଡିବାକୁ ଉଦ୍ୟମ କରିବା ସହ କାନ୍ଥରେ ଲଗାଇଛନ୍ତି ଧମକ ପୂର୍ଣ୍ଣ ଚିଠି । ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଚିଠିରେ ଲେଖାଯାଇଛି, ରାଉରକେଲା ବିଧାୟକଙ୍କ ଠାରୁ 1 କୋଟି ଟଙ୍କା ଆଣି 24 ଘଣ୍ଟା ମଧ୍ୟରେ ଦେବାକୁ କୁହାଯାଇଛି । ନଚେତ୍ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପୋଲିସ ଚିଠିଟିକୁ ଜବତ କରି ତଦନ୍ତ କରୁଥିବା ବେଳେ ଗାଡି ପୋଡି ଘଟଣାର ମଧ୍ୟ ତଦନ୍ତ କରୁଛନ୍ତି ।
ତେବେ ଏହି ଘଟଣାରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଆଦୌ ଭୟଭୀତ ନଥିବା କହିଛନ୍ତି । ଏପରିକି ତାଙ୍କଠାରୁ 1 କୋଟି ଟଙ୍କା ମାଗିବାର ଯଥାର୍ଥତା ବୁଝି ପାରୁନଥିବା ସେ କହିଛନ୍ତି । ସେପଟେ ଧମକପୂର୍ଣ୍ଣ ଚିଠି ଲଗାଇଥିବା ଦୁର୍ବୃତ୍ତକୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ