ଓଡିଶା

odisha

ETV Bharat / state

ଗର୍ଭବତୀ ଓ ଶିଶୁଙ୍କ ବିକାଶ ପାଇଁ ସୁନ୍ଦରଗଡରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ଶୁଭାରମ୍ଭ - Antenatal Care and other mother

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଭବନଠାରେ ରବିବାର ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମହିଳା ଓ ଶିଶୁ ବିକାଶ ପାଇଁ ପ୍ରମୁଖ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଉଦଘାଟନ କରାଯାଇଛି।

Antenatal Care and other mother
‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ଶୁଭାରମ୍ଭ

By

Published : Oct 12, 2020, 6:29 AM IST

Updated : Oct 12, 2020, 9:17 AM IST

ସୁନ୍ଦରଗଡ଼: ଜିଲ୍ଲାରେ ଏକାଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ରବିବାର ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମହିଳା ଓ ଶିଶୁ ବିକାଶ ପାଇଁ ପ୍ରମୁଖ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଉଦଘାଟନ କରାଯାଇଛି । ଏହା ସହିତ ଜିଲ୍ଲାର କିଶୋରୀ ଓ ମହିଳାଙ୍କ ପାଇଁ ଜୀବନ କୌଶଳ ତାଲିମ ଏବଂ ପ୍ରବାସ ଫେରନ୍ତା ତଥା ଖଣି ପ୍ରଭାବିତ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ଭିତ୍ତିକ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ପ୍ରଦାନ ଲାଗି ପଦକ୍ଷେପ ନିଆଯାଉଛି ।

ଏହି ଅବସରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ସ୍ବତନ୍ତ୍ର ଲୋଗୋ ଉନ୍ମୋଚିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ହିତାଧିକାରୀ ଏବଂ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ‘ଆମ ସୁନ୍ଦରଗଡ଼’ ସୂଚନାପତ୍ରର ମଧ୍ୟ ଲୋକାର୍ପଣ କରାଯାଇଥିଲା। ‘‘ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ରାଜ୍ୟ ହାରଠାରୁ କମ୍‌ ରହିଛି। ଏ କ୍ଷେତ୍ରରେ ଆହୁରି ସଫଳତା ପାଇବା ପାଇଁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ସହାୟକ ହେବ।

- ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ଗର୍ଭାବସ୍ଥାରେ ମାଗଣାରେ ଚାରି ଥର ଅଲଟ୍ରାସାଉଣ୍ଡ ପରୀକ୍ଷା

- ୨୫୦୦ରୁ ଅଧିକ ଅଙ୍ଗନବାଡ଼ିର ଆଧୁନିକୀକରଣ ଏବଂ ୭୦୦ରୁ ଅଧିକ ଆଦର୍ଶ ଅଙ୍ଗନବାଡ଼ି ନିର୍ମାଣ

- ଜିଲ୍ଲାର କିଶୋରୀ ଓ ମହିଳାଙ୍କ ପାଇଁ ଜୀବନ କୌଶଳ ତାଲିମ କାର୍ଯ୍ୟକ୍ରମ

- ପ୍ରବାସୀ ଫେରନ୍ତା ତଥା ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତିଭିତ୍ତିକ ହୋଟେଲ ମ୍ୟାନେଜମେଣ୍ଟ ତାଲିମ

-ସୁନ୍ଦରଗଡ଼ ସହରରେ ଥିବା ‘ବିଜୁଳି ବନ୍ଧ’ର ଉନ୍ନତିକରଣ

ବିଶେଷକରି ଗର୍ଭାବସ୍ଥାରେ ମା’ମାନଙ୍କର ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା ଓ ଯତ୍ନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନୂତନ ପଦକ୍ଷେପ ନିଆଯାଉଛି। ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ଗର୍ଭାବସ୍ଥାରେ ମାଗଣାରେ ଚାରି ଥର ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯିବ’’, ଏହି ଅବସରରେ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ବାର୍ଷିକ ୨୮ ହଜାର ମା’ ଉପକୃତ ହେବେ

ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥାକାଳୀନ ବିଭିନ୍ନ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ତା’ ସହିତ ଏବେ ମାଗଣାରେ ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦେବା ପାଇଁ ଜିଲ୍ଲାର ୮ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଛଡ଼ା ୪୧ଟି ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକକୁ ଅନୁବନ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମ ଫଳରେ ପ୍ରତି ବର୍ଷ ଜିଲ୍ଲା ୨୮ ହଜାରରୁ ଅଧିକ ମା’ ଉପକୃତ ହେବେ।

ଏପରିକି ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଅଧୀନରେ ଗୁରୁତର ଅପପୁଷ୍ଟି ପୀଡ଼ିତ ଶିଶୁମାନଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ରବିବାର ଶୁଭାରମ୍ଭ ହୋଇଥିବା ‘ମାତୃଜ୍ୟୋତି’ ଓ ଅନ୍ୟ କେତେକେ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍ବାଡସି ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ।

ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଏହି ଅବସରରେ ଜିଲ୍ଲାର କିଶୋରୀ ଓ ମହିଳାମାନଙ୍କୁ ଜୀବନ କୌଶଳ ତାଲିମ ଦେବାକୁ ଜିଲ୍ଲା ପ୍ରଶାସନ ‘ହମାରା ବଚପନ ଟ୍ରଷ୍ଟ’ ସହିତ ରାଜିନାମା ସ୍ବାକ୍ଷର କରିଛି। ଏନଟିପିସି ସିଏସଆର ପାଣ୍ଠିରୁ ଏହି କାର୍ଯ୍ୟକ୍ରମ ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହାଛଡ଼ା ହମାରା ବଚପନ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କିଶୋରୀମାନଙ୍କ ଲାଗି ଆଉ ଏକ ଜୀବନ କୌଶଳ ତାଲିମ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରାଯାଇଛି।

ଜିଲ୍ଲାର ପ୍ରବାସ ଫେରନ୍ତା ବ୍ୟକ୍ତି ତଥା ଖଣି ପ୍ରଭାବିତ ଅଞ୍ଚଳର ଯୁବକ ଯୁବତୀମାନଙ୍କ ନିଯୁକ୍ତି ସମ୍ଭାବନାକୁ ସୁନିଶ୍ଚିତ କରିବା ପାଇଁ ଆଉ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯୋଗ୍ୟତା ଏବଂ ଆଗ୍ରହ ଭିତ୍ତିରେ ପ୍ରାର୍ଥୀମାନଙ୍କୁ ବଲାଙ୍ଗୀରସ୍ଥିତ ସରକାରୀ ‘ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ’ରେ ତାଲିମ ପ୍ରଦାନ କରାଯିବ। ଏ ବାବଦରେ ପ୍ରାର୍ଥୀମାନଙ୍କ ପାଠପଢ଼ା ଏବଂ ରହିବା, ଖାଇବା ଖର୍ଚ୍ଚ ଡିଏମଏଫ ପାଣ୍ଠିରୁ ଯୋଗାଇ ଦିଆଯିବ।

ବିଜୁଳି ବନ୍ଧର ଉନ୍ନତୀକରଣ

ସୁନ୍ଦରଗଡ଼ ସହରରେ ଥିବା ‘ବିଜୁଳି ବନ୍ଧ’ର ଉନ୍ନତିକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାର ସୌନ୍ଦର୍ଯ୍ୟକରଣ ସହ ମ୍ୟୁଜିକାଲ ଫାଉଣ୍ଟେନ, ସାଇକେଲ ଟ୍ରାକ, ଜଗିଂ ଟ୍ରାକ, ପିଲାଙ୍କ ଖେଳିବା ସ୍ଥାନ, ଓପନ ଜିମ ଏବଂ ଓପନ ଏୟାର ଥିଏଟର ଆଦି ନିର୍ମାଣ କରାଯିବ। ସୁନ୍ଦରଗଡ଼ ଜିଲ୍ଲାର ଭୌଗୋଳିକ ମାନଚିତ୍ର ଢାଞ୍ଚାରେ ନିର୍ମିତ ହେଉଥିବା ଏହି ପ୍ରକଳ୍ପ ଆଗାମୀ ଦିନରେ ସହରବାସୀଙ୍କ ଜୀବନ ଶୈଳୀ ପାଇଁ ସହାୟକ ହୋଇପାରିବ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାମ କରିଥିବା ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ, ସ୍ବେଚ୍ଛାସେବୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।

Last Updated : Oct 12, 2020, 9:17 AM IST

ABOUT THE AUTHOR

...view details