ଓଡିଶା

odisha

ETV Bharat / state

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ବୀରେନ୍ଦ୍ର ଲାକ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ କହିଲେ ମୃତକଙ୍କ ବାପା - ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କୁ ହତ୍ୟା କରିଛି

ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ପୋଲିସ ଜାଣିଶୁଣି ବୀରେନ୍ଦ୍ର ଲାକ୍ରାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଆନନ୍ଦଙ୍କ ବାପା । ପୁଣି କମିଶନରେଟ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଲେ ମୃତକଙ୍କ ପରିବାର । ଅଧିକ ପଢ଼ନ୍ତୁ

ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କୁ ହତ୍ୟା କରିଛି କହିଲେ ଆନନ୍ଦଙ୍କ ବାପା
ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କୁ ହତ୍ୟା କରିଛି କହିଲେ ଆନନ୍ଦଙ୍କ ବାପା

By

Published : Apr 12, 2023, 5:38 PM IST

ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କୁ ହତ୍ୟା କରିଛି କହିଲେ ଆନନ୍ଦଙ୍କ ବାପା

ରାଉରକେଲା: ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ପୋଲିସ ଜାଣିଶୁଣି ବୀରେନ୍ଦ୍ର ଲାକ୍ରାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଆନନ୍ଦଙ୍କ ବାପା । ପୁଣି କମିଶନରେଟ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଲେ ମୃତ ଆନନ୍ଦଙ୍କ ପରିବାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ କେସରେ ବେପରୁଆ ଭାବରେ ବହିଷ୍କୃତ ଇନ୍ଫୋସିଟି ଥାନା ଅଧିକାରୀ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଭାରତୀୟ ଅଲମ୍ପିଆନ ତଥା ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ବଞ୍ଚାଇବାକୁ କମିଶନରେଟ ପୋଲିସ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ଆନନ୍ଦ ଟପ୍ପୋଙ୍କ ବାପା ବନ୍ଧନା ଟପ୍ପୋ । ଆନନ୍ଦଙ୍କୁ ବୀରେନ୍ଦ୍ର ଲାକ୍ରା ଏବଂ ତାଙ୍କର ବାନ୍ଧବୀ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ କିଛିଦିନ ତଳେ ବୀରେନ୍ଦ୍ରଙ୍କୁ କମିଶନରେଟ ପୋଲିସ କ୍ଲିନ୍‌ଚିଟ୍‌ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । କମିଶନରେଟ ପୋଲିସ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ବୀରେନ୍ଦ୍ର ଲାକ୍ରା ଜଡିତ ନଥିବା କଥା କହିଥିଲା ଏବଂ ଆନନ୍ଦଙ୍କୁ ହତ୍ୟା କରାଯାଇନାହିଁ ବରଂ ଆନନ୍ଦ ଆତ୍ମହତ୍ୟା କରିଥିବା କହି ତଥ୍ୟ ପ୍ରଦାନ କରିଥିଲା । ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ରିପୋର୍ଟରୁ ଏହା ସିଧାସଳଖ ଆତ୍ମହତ୍ୟା ବୋଲି ପ୍ରତିକ୍ରିୟା ରଖିଥିଲା କମିଶନରେଟ ପୋଲିସ । ତେବେ ଏହି ଘଟଣାକୁ ନିନ୍ଦା କରିଛନ୍ତି ମୃତ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଧନ ଟପ୍ପୋ । ସେ କହିଛନ୍ତି, "ମୁଁ ହାଇକୋର୍ଟରେ ଏହି ମାମଲା ନେଇ ନ୍ୟାୟର ଦ୍ବାରସ୍ଥ ହୋଇଛି । ଆଗାମୀ ଶୁଣାଣିରେ ହାଇକୋର୍ଟ ପୋଲିସର ତଦନ୍ତ ଭୁଲ ଥିବା କହି ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ଆଶାବାଦୀ ଅଛି । ବର୍ତ୍ତମାନ ମୁଁ ଅପେକ୍ଷା କରିଛି ହାଇକୋର୍ଟଙ୍କ ରାୟକୁ । ବୀରେନ୍ଦ୍ର କ୍ଲିନ୍‌ଚିଟ୍‌ ପାଇଲେ ମଧ୍ୟ ଆଇନ ତାକୁ ନିଶ୍ଚୟ ଦଣ୍ଡ ଦେବ ବୋଲି ମୋର ଆଶା ରହିଛି ।"

ଅନ୍ୟପକ୍ଷରେ ଇନ୍ଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଫିଲ୍ଡ ଡ୍ୟୁଟିରୁ ହାଇକୋର୍ଟ ବହିଷ୍କୃତ କରିଥିଲେ ମଧ୍ୟ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏହି ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି । ବୀରେନ୍ଦ୍ର ଲାକ୍ରା ଏବଂ ତାଙ୍କ ବାନ୍ଧବୀଙ୍କୁ ଏହି ମାମଲାରୁ ବଞ୍ଚାଇବାକୁ ଚେଷ୍ଟା କରି ବିଭିନ୍ନ ସମୟରେ ଘଟଣାରେ ହସ୍ତକ୍ଷେପ କରି ଭୁଲ ରିପୋର୍ଟ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ବହିଷ୍କୃତ ଇନ୍ଫୋସିଟି IICଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦ ହତ୍ୟା ମାମଲାକୁ ଦବାଇବା ପାଇଁ ଭୁଲ ଚାର୍ଜସିଟ ପ୍ରଦାନ କରାଯାଇଛି । ତେବେ ଆନନ୍ଦଙ୍କ ବାପା କହିଛନ୍ତି, "ଯେବେଠାରୁ ଆନନ୍ଦର ମୃତ୍ୟୁ ହୋଇଛି, ସେହି ଦିନରୁ ମୁଁ ତା ବାପା ନିଜେ କହୁଛି ମୋ ପୁଅକୁ ବୀରେନ୍ଦ୍ର ଲାକ୍ରା ଏବଂ ତାଙ୍କ ବାନ୍ଧବୀ ହତ୍ୟା କରିଛନ୍ତି, କିନ୍ତୁ ପୋଲିସ ନିଜର ତଦନ୍ତ ଠିକ ଭାବରେ କରୁନାହିଁ ଏବଂ ଆନନ୍ଦକୁ ନ୍ୟାୟ ଦେବା ବଦଳରେ ବୀରେନ୍ଦ୍ରଙ୍କୁ ନିର୍ଦ୍ଦୋଷ ସଜାଇବାରେ ଲାଗିଛି ।" ତେବେ ଆନନ୍ଦଙ୍କୁ ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।

ପ୍ରକାଶ ଥାଉକି, ଗତ ଫେବୃଆରୀ ୨୮ରେ ଆନନ୍ଦ ଟପ୍ପୋ ଭୁବନେଶ୍ବର ଯାଇଥିଲେ । ୧ ମାର୍ଚ୍ଚ ୨୦୨୨ରେ ଆନନ୍ଦ ଭୁବନେଶ୍ବରରୁ ରାଉରକେଲା ଫେରିବାର ଥିଲା । ଭୁବନେଶ୍ବରରେ ସେ ଭାରତୀୟ ହକି ଦଳର ତାରକା ବୀରେନ୍ଦ୍ର ଲାକ୍ରା ଏବଂ ବୀରେନ୍ଦ୍ରଙ୍କ ବାନ୍ଧବୀଙ୍କ ସହ ବୀରେନ୍ଦ୍ରଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଥିଲେ । ତେବେ ଫେରିବା ପୂର୍ବରୁ ଘର ଲୋକଙ୍କ ସହ କଥା ହେବାର ଘଣ୍ଟାଏ ପରେ ଆନନ୍ଦ ଟପ୍ପୋ ବେହୋସ ହୋଇଯାଇଥିବା ଘର ଲୋକଙ୍କୁ ସୂଚନା ଦେଇଥିଲେ ବୀରେନ୍ଦ୍ର ଲାକ୍ରା । ଏହାର କିଛି ସମୟ ପରେ ଆନନ୍ଦ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ତ୍ରିକୋଣୀୟ ପ୍ରେମକୁ ନେଇ ଆନନ୍ଦଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର । ଗତ ଜୁନ ମାସରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆନନ୍ଦଙ୍କ ବାପା ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୁଣି କୋର୍ଟରୁ ହତ୍ୟା ମାମଲାରେ ଶୁଣାଣି ପାଇଁ ସୂଚନା ଆସିଥିବା ବେଳେ ନ୍ୟାୟ ପାଇବାକୁ ଆଶାରେ ରହିଛନ୍ତି ଆନନ୍ଦଙ୍କ ପରିବାର । ତେବେ ବର୍ତ୍ତମାନ ପୁଣିଥରେ ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ଆନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଆନନ୍ଦଙ୍କ ପରିବାର ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details