ସୁନ୍ଦରଗଡ: ଆରକ୍ଷୀ ଅଧିକ୍ଷକଙ୍କ ମାନସ ପ୍ରକଳ୍ପ ଆମ ଘର ଏବେ ସାକାର ହେବାରେ ଲାଗିଛି । ଆମଘର ପ୍ରକଳ୍ପର ଏକ ନୂଆରୂପ ଭାବେ ‘ଆନନ୍ଦ ଘର' ପିଲାଙ୍କ ପାଇଁ ଲୋକାର୍ପିତ ହୋଇଛି ।
ସୁନ୍ଦରଗଡ ଥାନା ପରିସରରେ ଲୋକାର୍ପିତ ହେଲା 'ଆନନ୍ଦ ଘର' ସୁନ୍ଦରଗଡ ସଦର (ଆଦର୍ଶ )ଥାନାରେ ଆରକ୍ଷୀ ଅଧିକ୍ଷକ ବିଧିବଦ୍ଧ ଭାବେ ଏହାର ଶୁଭ ଉଦଘାଟନ କରିବା ସହ ଥାନାକୁ ଆସୁଥିବା ଛୋଟ ଛୋଟ ପିଲାଙ୍କ ପାଇଁ ଏହି ଆନନ୍ଦ ଘରକୁ ଭେଟି ଦେଇଛନ୍ତି । ଥାନାକୁ ବା ଥାନା ପରିସର ଯେପରି ପିଲାଙ୍କ ପାଇଁ ଭୟର ବାତବରଣ ସୃଷ୍ଟି ନ କରିବ ସେହି ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରାଯାଇଛି ।
କେତେକ ପିଲା ତାଙ୍କ ବାପା ଓ ମାଙ୍କ ଅପରାଧ ବା କୃତକର୍ମ ପାଇଁ ତାଙ୍କ ସହିତ ଆସିଥାନ୍ତି । ପିଲା ପୋଲିସ ପୋଷାକରେ ପୋଲିସଙ୍କୁ ଦେଖି ଭୟ କରିଥାନ୍ତି । ସେହି ଭୟକୁ ଦୂର କରିବା, ପୋଲିସ ଓ ଜନସାଧାରଣ ତଥା ପୋଲିସ ଥାନା ସହ ପିଲାଙ୍କ ମଧ୍ୟରେ ଥିବା ଭୟକୁ ଦୂର କରି ଥାନା ପରିସରକୁ ଏକ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣରେ ପରିଣତ କରିବା ନେଇ ଏହି ପ୍ରକଳ୍ପର ସୃଷ୍ଟି ହୋଇଥିବା ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ଏହି ଆନନ୍ଦ ଘର ଥାନା ମଧ୍ୟରେ ରଖାନଯାଇ ଥାନା ପରିସର ମଧ୍ୟରେ ରଖିବାର ପ୍ରମୁଖ କାରଣ ହେଲା ଶିଶୁଙ୍କ ନିରାପତ୍ତା । ଏହି ପରିସରରେ ଶିଶୁମାନେ ସେମାନଙ୍କ ଭାବନା ବ୍ୟକ୍ତ କରିବା ସହ ଖେଳ କୁଦ ଓ ପାଠ ମଧ୍ୟ ପଢିପାରିବେ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି ।
କେବଳ ସେତିକି ନୁହେଁ ଆଜି ସଦର ଥାନା ସମେତ ବଡଗାଁ, କୁତ୍ରା, ରାଜଗାଙ୍ଗପୁର, ବୀରମିତ୍ରପୁର ଓ ରିଜର୍ଭ ପୋଲିସ ପରିସରରେ ଏହି ବ୍ୟବସ୍ଥା କରାଯାଇଛି । ଏହି ଆନନ୍ଦ ଘରେ ଇ- ଲାଇବ୍ରେରୀ ସହ ଇଣ୍ଟରନେଟ ଶିକ୍ଷଣ ନେଇ ଜିଲ୍ଲା ପୋଲିସ ବ୍ୟବସ୍ଥା କରିଛି । ତେବେ ଆନନ୍ଦ ଘରରେ ଛୋଟ ଛୋଟ ଶିଶୁଙ୍କ ସହ 18ବର୍ଷରୁ କମ ପିଲା ମଧ୍ୟ ଏହାର ସୁଯୋଗ ନେଇ ପାରିବେ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି । ସୁନ୍ଦରଗଡରେ ଏହି ପ୍ରକଳ୍ପ ଆମ ଆରମ୍ଭ ହୋଇଥିବା ବେଳେ ଏହା ରାଜ୍ୟରେ ପ୍ରଥମ ବୋଲି ଜଣାପଡିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ