ରାଉରକେଲା:ଷ୍ଟିଲ୍ ସିଟିରେ ଘଟିଛି ଏକ ଅଜବ ମାମଲା । ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଦୁଇଟି ଗାଡିର ରହିଛି ସମାନ ନମ୍ବର ପ୍ଲେଟ୍ । ଘଟଣା ପରେ ପରିବହନ ବିଭାଗର କାର୍ଯ୍ୟ ଉପରେ ଉଠୁଛି ବିଭିନ୍ନ ପ୍ରଶ୍ନ । ଗାଡ଼ି ଗୋଟିଏ ସ୍ଥାନରେ, ଫାଇନ କଟିଛି ଆଉ ଗୋଟିଏ ସ୍ଥାନରୁ । ଗାଡିର ମାଲିକ ଫଇନ ମେସେଜ ଦେଖି ଆଚମ୍ବିତ ହୋଇଛନ୍ତି । ତେବେ ଯେଉଁ ଗାଡି ଅନ୍ୟ ଏକ ଜିଲ୍ଲାରେ ରହିଛି ସେହି ଗାଡି ନମ୍ବରରେ ଅନ୍ୟ ଜିଲ୍ଲାରେ କିଭଳି କଟୁଛି ଫାଇନ ଏନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ ରାଉରକେଲା RTOରେ ରେଜିଷ୍ଟ୍ରେସନ ହୋଇଥିବା ଏକ ଚାରି ଚକିଆ ଗାଡିର ନମ୍ବରରେ ଆସିଛି ଫାଇନର ମେସେଜ । ଗାଡିର ଅସଲି ମାଲିକ ହେଉଛନ୍ତି ରାଉରକେଲା ଟେନସା ଅଞ୍ଚଳର ନିବାସୀ ଗୋବିନ୍ଦ ଚନ୍ଦ୍ର ସିଂ । ତେବେ ଗାଡିଟି ରାଉରକେଲା RTOରେ ରେଜିଷ୍ଟ୍ରେସନ ହେବା ପରେ ବର୍ତ୍ତମାନ ସମୟରେ ଦୁଇ ତିନି ମାସ ଧରି ବାରିପଦାରେ ତାଙ୍କ ଗ୍ରାମରେ ରହିଛି । ଗାଡିଟି ବାରିପଦାରେ ଥିବା ସମୟରେ ସମ୍ବଲପୁର- ଝାରସୁଗୁଡା ରୋଡ଼ରେ ଗାଡିଟି ଓଭର ସ୍ପିଡିଂ କରିଥିବା ଅଭିଯୋଗରେ କଟାଯାଇଛି ଦୁଇ ହଜାର ଟଙ୍କାର ଫାଇନ । ଏବଂ ଆହୁରି ଆଶ୍ଚର୍ଯ୍ୟ କରିବା ଘଟଣା ହେଉଛି ଦୁଇଟି ଗାଡି ଗୋଟିଏ କମ୍ପାନୀର । ହେଲେ ଅସଲି ଗାଡିର ରଙ୍ଗ ଧଳା କିନ୍ତୁ ଯେଉଁ ଗାଡିର ଚାଲାଣ ଆସିଛି ସେଥିରେ ଗାଡିର ରଙ୍ଗ ବ୍ଲୁ' ରହିଛି । ଏହା କିପରି ସମ୍ଭବ ହେଲା ତାହାକୁ ନେଇ ଉଠିଛି ପ୍ରଶ୍ନ ।