ରାଉରକେଲା: ନିଜ ହକ ପାଇଁ ଧାରଣାକୁ ଓହ୍ଳାଇଛି ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ । ସୋମବାର ଚାରି ଦଫା ଦାବି ନେଇ ରାଉରକେଲାରେ ରାଜରାସ୍ତାକୁ ଓହ୍ଳାଇ ବିକ୍ଷୋଭ ପ୍ରଦର୍ଶନ କରିଛି ଇପିଏଫ ପେନସନର୍ସ ଆସୋସିଏସନ । ମାସିକ ସର୍ବନିମ୍ନ ପେନସନ 9 ହଜାର ଟଙ୍କା, ଦରମା ପରିମାଣ ଆଧାରରେ ପେନସନ, ପେନସନ ସହ ମହଙ୍ଗା ଭତ୍ତା, ସରକାରୀ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଆସୋସିଏସନ କହିଛି ଯେ, ଓଡିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନେ ବହୁ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି । ବିଶେଷକରି ବର୍ଦ୍ଧିତ ପେନସନ ବାବଦରେ ସୁପ୍ରିମକୋର୍ଟଙ୍କ ବହୁ ପ୍ରତୀକ୍ଷିତ ରାୟ ଗତବର୍ଷ ନଭେମ୍ବର 4 ତାରିଖରେ ପ୍ରକାଶ ପାଇଥିଲା । ଏହାପରେ ପେନସନଭୋଗୀଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳି ଯାଇଥିଲା । କିନ୍ତୁ ଆଜି ଯାଏ କେଉଁମାନଙ୍କ ପେନସନ ବଢିବ ତାହା ବର୍ତ୍ତମାନ ଯାଏ ସଠିକ ଭାବରେ ଜଣାପଡ଼ିନାହିଁ । ଏହି ରାୟକୁ କାର୍ଯ୍ୟକାରୀ କରିବା ବଦଳରେ ଏହାକୁ କାର୍ଯ୍ୟକାରୀ ନକରିବା ପାଇଁ ଭବିଷ୍ୟନିଧି ସଂଗଠନ କର୍ତ୍ତୃପକ୍ଷ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ପେନସନର୍ସ ଆସୋସିଏସନ ସଦସ୍ୟ ।
ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ଆହୁରିମଧ୍ୟ କହିଛି ଯେ, ସର୍ବନିମ୍ନ ପେନସନ ବୃଦ୍ଧି ଦାବିକୁ ସର୍ବଦା ଆସୋସିଏସନ ପ୍ରାଥମିକତା ଦେଇ ଆସିଛି । ଓଡିଶାରେ ଦୁଇ ଲକ୍ଷ ଇପିଏଫ ପେନସନଭୋଗୀ ମଧ୍ୟରୁ ଦେଢ଼ ଲକ୍ଷ ସର୍ବନିମ୍ନ ପେନସନ ପାଉଛନ୍ତି । ତେବେ ସମସ୍ତ ପେନସନ ଭୋଗୀଙ୍କ ପେନସନ ବୃଦ୍ଧି ଲାଗି ବାରମ୍ବାର ଇପିଏଫ ପେନସନର୍ସ ଆସୋସିଏସନ ଦାବି ଜଣାଇ ଆସିଛି । ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ଭବିଷ୍ୟନିଧି ସଂଗଠନ କର୍ତ୍ତୃପକ୍ଷଙ୍କୁ ଲଗାତାର ଭାବରେ ଦାବି ଉପସ୍ଥାପନା କରାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ଅଭିଯୋଗ କରିଛି ଇପିଏଫ ପେନସନର୍ସ ଆସୋସିଏସନ ।