ରାଉରକେଲା:ପୂରଣ ହୋଇ ପାରୁନି ଲୋକଙ୍କ ଦାବି । ଆଜି ମଧ୍ୟ ଅଟକି ରହିଛି ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ତାଳଚେର-ବିମଲାଗଡ଼ ରେଳ ପ୍ରକଳ୍ପକୁ ନେଇ ଚିନ୍ତାରେ ଜିଲ୍ଲାବାସୀ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣା ଓଟରାରେ ଲୋକେ ହନ୍ତସନ୍ତ । ରାଜ୍ୟ କହୁଛି କେନ୍ଦ୍ର ସରକାର ଅର୍ଥ ଦେଉ ନାହାନ୍ତି ଏବଂ କେନ୍ଦ୍ର କହୁଛି ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁନାହିଁ । ଏହି ରାଜନୈତିକ ଟଣା ଓଟରାରେ ପେଶୀ ହେଉଛନ୍ତି ଜନସାଧାରଣ । ତେବେ କେବେ ହେବ ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ ରେଳ ଲାଇନ । ଯାହାକୁ ନେଇ ଆଶା ଆଶଙ୍କାରେ ଲୋକେ ।
ପ୍ରଶାସନର ଏବଂ ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ବହୁ ପ୍ରତୀକ୍ଷିତ ତାଳଚେର-ବିମଲାଗଡ଼ ରେଳ ପ୍ରକଳ୍ପ ଅଟକି ରହିଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ବିବାଦ ତେଜିବାରେ ଲାଗିଛି । ରେଳ ଲାଇନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ଆକ୍ସନ କମିଟି, ନାଗରିକ ମଞ୍ଚ ସହ ଅନ୍ୟାନ୍ୟ ବିଭିନ୍ନ ସାମାଜିକ ସଂଗଠନ ଦାବି କରିଛନ୍ତି । ଯଥାଶୀଘ୍ର ଦାବି ପୂରଣ ନହେଲେ ବିଶାଳ ଆନ୍ଦୋଳନକୁ ଓହ୍ଲାଇବାକୁ ରେଳ ଆକ୍ସନ କମିଟି ଚେତାବନୀ ଦେଇଛି । ଏହି ରେଳ ଲାଇନ ହେଲେ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ପଶ୍ଚିମ ଓଡ଼ିଶାକୁ ପୂର୍ବ ଓଡ଼ିଶା ସହ ଯୋଡିବାରେ ସହାୟକ ହେବ । ଭୁବନେଶ୍ବରରୁ ରାଉରକେଲା ସହରକୁ ୮ରୁ ୧୦ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା ୩ରୁ ୪ ଘଣ୍ଟାକୁ ହ୍ରାସ ହେବ ।