ସୁନ୍ଦରଗଡ: ସୁନ୍ଦରଗଡ ସଦର ବ୍ଲକ ବିରବିରା ଲ୍ୟାମ୍ପସ ପରିସରରେ ଆଜି(ବୁଧବାର) ଜିଲ୍ଲାସ୍ତରୀୟ ଧାନକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗେଦେଇ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ କରିବା ସହ ଉପସ୍ଥିତ ଚାଷୀଙ୍କୁ ଧାନ ବିକ୍ରିର ମାନଙ୍କ ବିଷୟରେ ଅବଗତ କରାଇଥିଲେ । ତେବେ ପୂର୍ବବର୍ଷ ମାନଙ୍କ ଠାରୁ ଏବର୍ଷ ଧାନକ୍ରୟ ଓ ବିକ୍ରୟକୁ ଅଧିକ ସରଳୀକରଣ କରାଯାଇଥିବା କଥା ସେ କହିଛନ୍ତି । ପୂର୍ବ ବର୍ଷ ମାନଙ୍କରେ ଚାଷୀଙ୍କ ପାଇଁ ଯେଉଁସବୁ ସମସ୍ୟା ଉପୁଜିଥିଲା ସେପରି ସମସ୍ୟା ଏବର୍ଷ ଯେପରି ନଉପୁଜିବ ସେନେଇ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା କଥା ସେ କହିଛନ୍ତି ।
ତେବେ ଚାଷୀମାନେ ଉନ୍ନତ ମାନର ଧାନ ଆଣିଲେ ଅଧିକ ଟଙ୍କା ପାଇ ପାରିବେ ବୋଲି ସେ କହିଛନ୍ତି । ତେବେ ଏବର୍ଷ ରାଜ୍ୟ ସରକାର ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା 1940 ଟଙ୍କା ସ୍ଥିର କରିଥିବା କଥା ସେ କହିଛନ୍ତି । ଚାଷୀ ଯେଉଁଦିନ ଧାନ ବିକ୍ରି କରିବେ ସେହିଦିନ ତଥା 24 ଘଣ୍ଟା ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପହଞ୍ଚିବାର ବ୍ୟବସ୍ଥା କରାଯାଇଥିବା କଥା ଜିଲ୍ଲା ସାଧାରଣ ଯୋଗାଣ ଅଧିକାରୀ (CSO) କହିଛନ୍ତି । ଟୋକନ ପାଇଥିବା ଚାଷୀ ଏକକାଳୀନ ତାଙ୍କ ଧାନ, କ୍ରୟ କେନ୍ଦ୍ରକୁ ଆଣିପାରିବେ ଓ ଏହି ଟୋକନ ଏକ ମାସ ପାଇଁ ଭେଲିଡ ରହିବ ବୋଲି ଜଣାପଡିଛି । ତେବେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଏବର୍ଷ ଭିନ୍ନ ଭାବେ ଚାଷୀମାନଙ୍କୁ ଅବଗତ କରାଇବା ନେଇ ବ୍ୟବସ୍ଥା କରାଯାଇଛି । ଟୋକନ ପାଇଥିବା ଚାଷୀଙ୍କୁ ମାସକ ମଧ୍ୟରେ ତିନି ଥର ରିମାଇଣ୍ଡର ଯିବାର ବ୍ୟବସ୍ଥା କରାଯାଇଥିବା କଥା ଜଣାପଡିଛି ।