ରାଉରକେଲା: ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ରାଉରକେଲା ସହରର ୮୬ ବର୍ଷୀୟ ବୃଦ୍ଧଙ୍କ ନାମ । ୮୬ ବର୍ଷରେ ପହଞ୍ଚିବା ପରେ ମଧ୍ୟ ଶରୀର ମାନିନାହିଁ ହାର । ଯୋଗ ସାହାଯ୍ୟରେ ନିଜର ମନ ସହ ଶରୀରକୁ ଆଜି ମଧ୍ୟ ସମ୍ପୂର୍ଣ୍ଣ ସତେଜ ରଖିଛନ୍ତି ବୃଦ୍ଧ ଜଣକ । ବୃଦ୍ଧ ବୟସ୍କ ବିଭାଗରେ ଶୀର୍ଷାସନରେ କଲେ ବିଶ୍ୱ ରେକର୍ଡ । ରାଉରକେଲା ସହରର ବରିଷ୍ଠ ନାଗରିକ ଈଶ୍ବରନାଥ ଗୁପ୍ତା ୬ ମିନିଟ ୩୬ ସେକେଣ୍ଡ ଶୀର୍ଷାସନ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛନ୍ତି ।
ରାଉରକେଲା ସହରର କୋଏଲ ନଗର ନିବାସୀ ହେଉଛନ୍ତି ଇଶ୍ୱର ନାଥ ଗୁପ୍ତା(୮୬) । ନୂଆବର୍ଷ ଅବସରରେ ରବିବାର ସକାଳେ ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଶୀର୍ଷାସନ ପ୍ରଦର୍ଶନ କରି ସେ ନିଜ ନମରେ କରିଛନ୍ତି ବିଶ୍ୱ ରେକର୍ଡ । ଏହି ପ୍ରଦର୍ଶନକୁ ଗିନିଜ ବୁକ୍ ଅଫ୍ ରେକର୍ଡର ପ୍ରତିନିଧି ଆସି ଯାଞ୍ଚ କରିଥିଲେ । ତେବେ ଏଥିରେ ସଫଳ ହୋଇଛନ୍ତି ୮୬ ବର୍ଷୀୟ ଈଶ୍ୱରନାଥ ଗୁପ୍ତା । ତେବେ ପୂର୍ବରୁ ଏହି ରେକର୍ଡ ଜଣେ ୭୪ ବର୍ଷୀୟ କନାଡିଆନ ବ୍ୟକ୍ତି ରିଚାର୍ଡ ଡି ଲାମରେଙ୍କ ନାମରେ ରହିଥିଲା । ସେ ୨୬ ଅଗଷ୍ଟ ୨୦୨୨ ମସିହାରେ ଏହି ରେକର୍ଡ ଅଧିକୃତ କରିଥିଲେ ।