ରାଉରକେଲା:ଜିଲ୍ଲାରେ ବର୍ତ୍ତମାନ ବ୍ୟାପିବାରେ ଲାଗିଛି ସ୍କ୍ରବ ଟାଇଫସ । ବର୍ତ୍ତମାନ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ଆଉ ୬ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ସୁନ୍ଦରଗଡ଼ରେ ୨୦୬ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଉରକେଲା ସରକାରୀ ହସ୍ପିଟାଲର ଟେଷ୍ଟ ରିପୋର୍ଟ ଅନୁଯାୟୀ, ଗତକାଲି(ବୁଧବାର) 6ଜଣ ସ୍କ୍ରବ ପଜିଟିଭ ଚିହ୍ନଟ ହୋଇଥିଲେ । ରବିବାର ୧୧ ଜଣ ପଜିଟିଭ ଏବଂ ସୋମବାର ୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଠିକ୍ ସେହିପରି ମଙ୍ଗଳବାର ମଧ୍ୟ ୧୦ ଜଣ ସ୍କ୍ରବ ଟାଇଫସ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତକାଲି (ବୁଧବାର) ପର୍ଯ୍ୟନ୍ତ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ ଅନ୍ୟ ରାଜ୍ୟର ହୋଇଥିବା ବେଳେ ୯ ଜଣ ଅନ୍ୟ ଜିଲ୍ଲାର ରହିଛନ୍ତି । ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଚିହ୍ନଟ ହୋଇଥିଲା । ସ୍କ୍ରବ୍ ଟାଇଫସରେ ଜଣକର ମୃତ୍ଯୁ ହୋଇଥିବା ବେଳେ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ସିଡିଏମଓ ଡ. କାହ୍ନୁଚରଣ ନାୟକ କହିଛନ୍ତି ।