ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲାକୁ ୫ଟି ସଚିବଙ୍କ ମାରାଥନ ଗସ୍ତ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ସୁନ୍ଦରଗଡ ଗସ୍ତର ଦ୍ବିତୀୟ ଦିନରେ ସବ ଡିଭିଜନର ବିଭିନ୍ନ ବ୍ଲକ ତଥା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ରାଜଗାଙ୍ଗପୁର ସ୍ଥିତ ଘୋଘର ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ପୂଜକ ତଥା ମନ୍ଦିର କମିଟି ସହ ମନ୍ଦିରର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।
ମନ୍ଦିର ପରିସର ଉନ୍ନତିକରଣ ତଥା ପାର୍କିଂ ବ୍ୟବସ୍ଥା, ମନ୍ଦିରରେ ବାର୍ଷିକ ମେଳା ନିମନ୍ତେ ଆନୁସାଙ୍ଗୀକ ବ୍ୟବସ୍ଥା କରିବା ସହିତ ଅଞ୍ଚଳବାସୀଙ୍କର ଥିବା ରହିଥିବା ଦାବିକୁ ନେଇ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତରେ ରୂପାନ୍ତରଣ ହେବାକୁ ଥିବା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହାସହ ଡାକ୍ତର, କର୍ମଚାରୀ ଏବଂ ରୋଗୀଙ୍କ ସହ ଆଲୋଚନା କରିଥିଲେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ପରିଦର୍ଶନ କରିଥିଲେ । ଜାରି ରହିଥିବା କାର୍ଯ୍ୟକୁ ତ୍ବରାନ୍ବିତ କରି ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ରାଜଗାଙ୍ଗପୁର ରେଲୱେ ଓଭର ବ୍ରିଜ କାର୍ଯ୍ୟ ପରିଦର୍ଶନ କରିବା ସହ ସମସ୍ତ ହିତାଧିକାରୀମାନଙ୍କ ସହ ଉପଯୁକ୍ତ ସମନ୍ଵୟ ରକ୍ଷା କରି ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ 5T ସଚିବ ଟାଙ୍ଗରପାଲି ବ୍ଲକ ସ୍ଥିତ ବେଲସରା ଶିବ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ନବୀକରଣ, ଶିଶୁମାନଙ୍କ ନିମନ୍ତେ ପାର୍କ, ପାଚେରୀ ନିର୍ମାଣ, ଗେଟୱେ, ପାହାଚ, 5ଟି ପୋଖରୀକୁ ମିଶାଇ ଏକ ଜଳ ଭଣ୍ଡାର, ନୌକା ବିହାର ବ୍ୟବସ୍ଥା, ଦୁଇଟି ପାହାଡ଼ରେ ରୋପୱେ ବ୍ୟବସ୍ଥା ଆଦି ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ହେମଗିର ବ୍ଲକ ପରିଦର୍ଶନ ସମୟରେ 5T ସଚିବ ମିଶନ ଶକ୍ତି କାଫେକୁ ଯାଇଥିଲେ ଏବଂ ମିଶନ ଶକ୍ତିର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ହେମଗିର ସ୍ଥିତ ପଞ୍ଚାୟତ ସମିତି କନିଷ୍ଠ ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ଏବଂ ଅଧ୍ୟକ୍ଷ, ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ । ସେହି ସମୟରେ ନୂତନ କଲେଜ ବିଲଡ଼ିଂ, ବାଳକ ଓ ବାଳିକାଙ୍କ ନିମନ୍ତେ ଛାତ୍ରାବାସ ବ୍ୟବସ୍ଥା, 2 ସ୍ତରରେ ବିଜ୍ଞାନ ଓ ବାଣିଜ୍ୟ ଷ୍ଟ୍ରିମ୍, ଡିଗ୍ରୀ କଲେଜ, ଖେଳ ପଡିଆର ବିକାଶ, ସ୍ମାର୍ଟ କ୍ଲାସ ରୁମ, ଅଡିଟୋରିଆମ, ଲାଇବ୍ରେରୀ ଆଦିକୁ ନେଇ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।