ସୁନ୍ଦରଗଡ:ଗତ 13 ତାରିଖରେ ଲୁଟେରା ମାନେ ଲୁଟି ନେଇଥିଲା ବ୍ୟାଙ୍କ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଜୋର SBI ରୁ 6 ଲକ୍ଷ ଟଙ୍କା ଲୁଟି ଲୁଟେରା ମାନେ ଫେରାର ହୋଇଯାଇଥିଲେ । ବନ୍ଧୁକ ଓ ଖଣ୍ଡା ଦେଖାଇ ବ୍ରାଞ୍ଚ ମ୍ୟାନେଜର ଦୀପ୍ତିକାନ୍ତ ମଲ୍ଲିକଙ୍କୁ ଆହତ କରିବାସହ ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରି ଏମାନେ ଲୁଟିଥିଲେ ।
ବୀରମିତ୍ରପୁର ପୋଲିସ ଓ କୁଆଁର ମୁଣ୍ଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ସୁନ୍ଦରଗଡ ଏସ.ପି. ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ । ଏସପିଙ୍କ ନିର୍ଦ୍ଦେଶରେ ବୀରମିତ୍ରପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ତିନିଜଣ ଡକାୟତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ 9 ହଜାର ଟଙ୍କା ଓ ଦୁଇଟି ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନକୁ ଜବତ କରିଛି । ତେବେ ଏବେ ବି ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ଆହୁରି ତିନିଜଣ ଫେରାର ଥିବା କଥା ପୋଲିସ କହିଛି । ଗିରଫ ତିନିଜଣ ଅଭିଯୁକ୍ତ ପୋଲିସ କୋର୍ଟ ଚାଲାଣ କରିଛି ।