ସୁବର୍ଣ୍ଣପୁର: ଜାତୀୟ କ୍ରୀଡା ହକି ପ୍ରତି ଖେଳାଳିମାନଙ୍କ ବଢୁଛି ଆଗ୍ରହ । ବିଶେଷକରି ରାଜ୍ୟ ସରକାର ହକିକୁ ପ୍ରୋତ୍ସାହନ ଦେବା ଓ ଟୋକିଓ ଅଲମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳର ଭଲ ପ୍ରଦର୍ଶନ ପରେ ଯୁବ ଖେଳାଳିମାନେ ଏହି ଖେଳ ପ୍ରତି ଆକୃଷ୍ଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ହକି ଆସୋସିଏସନ ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ସଫଳତାର ସହିତ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ।
ଜିଲ୍ଲାର ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଦକ୍ଷିଣିପାଲି ଖେଳ ପଡିଆ ଠାରେ ଆଠଟି ହକି ଦଳକୁ ନେଇ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ଦକ୍ଷିଣିପାଲି, ଗୋବିନ୍ଦପୁର, ବୁଢୀ ଝରନ, ଗୁଜା, ଲମତୁଲ ଖରାପୁରା, ଗ୍ରୀନ୍ଦିଲାମାଲ ଓ ଠେଙ୍ଗୋ ଦଳ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଗ୍ରୀନ୍ଦିଲାମାଲ ବୁଢୀ ଝରନ ଦଳକୁ 2-1ରେ ହରାଇ ଚାମ୍ପିୟନ ହୋଇଛି ।