ସୁବର୍ଣ୍ଣପୁର:ବାଲାଜୀ ଗଣପତି ସୂତାକଳର ଶ୍ରମିକ ଓ କର୍ମଚାରୀମାନଙ୍କୁ ମିଲ କର୍ତ୍ତୃପକ୍ଷ ଠକୁଥିବା ଅଭିଯୋଗ ହୋଇଛି । ଗତ ପ୍ରାୟ ୮ ମାସ ହେଲା ଜିଲ୍ଲାର ଏକମାତ୍ର ଶିଳ୍ପ ସୂତାକଳ ବନ୍ଦ ହୋଇ ପଡିଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଶ୍ରମିକ ସଂଘ ଓ ସୂତାକଳ କର୍ତ୍ତୃପକ୍ଷଙ୍କ ଭିତରେ ବୁଝାମଣା ହୋଇଥିଲା । ବୁଝାମଣା ଆଧାରରେ ମିଲ ପୁଣି କାର୍ଯ୍ୟକ୍ଷମ ହେବା ନେଇ ସହମତି ପ୍ରକାଶ କରିଥିଲେ ମିଲ କର୍ତ୍ତୃପକ୍ଷ । କିନ୍ତୁ ପୂର୍ବ ଚୁକ୍ତିକୁ ପାଳନ କରିବାରେ ମିଲ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛି ଶ୍ରମିକ ସଂଘ ।
ଶ୍ରମିକମାନଙ୍କ ଦାବି ଅନୁଯାୟୀ, ସେମାନଙ୍କ ବକେୟା ଦରମା ସହିତ 11 ମାସର EPF ଟଙ୍କା ମିଲ କର୍ତ୍ତୃପକ୍ଷ ଜମା କରିବା । ସେହିପରି ନିୟମିତ କାମ ଦେବା ସହିତ ସୂତାକଳର ପୁରୁଣା ମେସିନ ବଦଳେଇ ନୂତନ ମେସିନ ଯୋଗାଇଦେବେ । କପା ମହଜୁଦ ରଖିବା ସହିତ ନିୟମିତ ବିଦ୍ୟୁତ ବ୍ୟବସ୍ଥା କରିବେ । ତେବେ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ ମିଲ କର୍ତ୍ତୃପକ୍ଷ ଓ ଶ୍ରମିକଙ୍କ ଭିତରେ ବୁଝାମଣା ହୋଇଥିଲା । ହେଲେ ମିଲ କର୍ତ୍ତୃପକ୍ଷ ତାଙ୍କ କଥାରୁ ଓହରି ଯାଇଥିବା ଶ୍ରମିକ ସଂଘ ଅଭିଯୋଗ କରିଛି ।