ସୁବର୍ଣ୍ଣପୁର:ଖାକିରେ ଲାଗିଲା କଳଙ୍କ । ମହିଳା ପୋଲିସ ଅଧିକାରୀଙ୍କୁ ଯୌନ ଶୋଷଣ ଅଭିଯୋଗ । ଅସୁରକ୍ଷିତ ହୋଇପଡିଛି ପୋଲିସ ବିଭାଗ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଉଲୁଣ୍ଡା ଥାନାର ଜଣେ ମହିଳା ଏଏସଆଇଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ମହିଳା ଏଏସଆଇ ଜଣକ ଛୁଟି ମଞ୍ଜୁର ସହ ଉଲୁଣ୍ଡା ଥାନାରୁ ଅନ୍ୟତ୍ର ବଦଳି କରାଇ ଦେବା ପାଇଁ ହୋମଗାର୍ଡକୁ ଅନୁରୋଧ କରିଥିଲେ । ଆଉ ଏହାର ପ୍ରତିବଦଳରେ ହୋମଗାର୍ଡ ଜଣକ ତାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି ।
ସରକାରଙ୍କ ଶୃଙ୍ଖଳିତ ବିଭାଗ ତାଲିକାରେ ସବୁଠୁ ଉଚ୍ଚରେ ଥିବା ପୋଲିସ ବିଭାଗର କର୍ମଚାରୀମାନେ ଦିନକୁ ଦିନ ଅଧିକ ବିଶୃଙ୍ଖଳିତ ହୋଇ ପଡୁଥିବା ନଜରକୁ ଆସୁଛି । ଜନସାଧାରଣଙ୍କ ଧନ ଜୀବନ ତଥା ସାମାଜିକ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ବିଭାଗ ନିଜ ପୋଲିସ କର୍ମଚାରୀଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିବା ପରି ଏକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅତି ନିକଟତର ଭାବେ ଜଣାଶୁଣା ହୋମଗାର୍ଡ ରାଜକୁମାର ପଧାନ । ଆଉ ତାଙ୍କର ଏଭଳି ହୀନ ଉଦ୍ଦେଶ୍ୟ ବିରୁଦ୍ଧରେ ମହିଳା ଏଏସଆଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆରକ୍ଷୀ ଅଧିକ୍ଷକ ରାଜକୁମାର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପୋଲିସ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଶେଷରେ ମହିଳା ପୋଲିସ ଅଧିକାରୀ ଜଣକ ଉତ୍ତରାଞ୍ଚଳ ଆଇଜିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ବଲାଙ୍ଗୀରରେ ବିପୁଳ ପରିମାଣର ଗଞ୍ଜେଇ ଜବତ, ହୋମଗାର୍ଡ୍ ଗିରଫ