ସୁବର୍ଣ୍ଣପୁର: କୋଭିଡ ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ସାପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତାକାଲି ଓ ତହିଁ ପରଦିନ ସପ୍ତାହନ୍ତ ସଟଡାଉନ କରାଯିବ। ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ଦୁଇ ଦିନ ପାଇଁ ଅନ୍ୟ ଆଦେଶ ପର୍ଯ୍ୟନ୍ତ ସାପ୍ତାହନ୍ତ ସଟଡାଉନ ଘୋଷଣା କରାଯାଇଛି।
ସେହିପରି ସପ୍ତାହକ ଯାକ ନାଇଟ କର୍ଫ୍ୟୁ ବା ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସ୍ୱତନ୍ତ୍ର ରିଲିଫ କମିଶନର ଓ ଜିଲ୍ଲା ପ୍ରଶାସନର ଆଦେଶକୁ ସଦର ପୌର ପରିଷଦ ଡ଼ାକବାଜି ଯନ୍ତ୍ର ସହାୟତାରେ ଘୋଷଣା କରିଛି। ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଯାଉଥିବା ବେଳେ ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରାତ୍ରିକାଳୀନ କର୍ଫ୍ୟୁ ପାଳନ କରାଯାଉଛି।
ସଂନ୍ଧ୍ୟା ସମୟରୁ ସହରର ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରି ଦେଉଛନ୍ତି । ରାତ୍ରୀ 9 ଟା ବେଳକୁ ସାରା ସହର ଜନଶୂନ୍ୟ ହୋଇପଡ଼ୁଛି । ଗତକାଲି(ଗୁରୁବାର) ପର୍ଯ୍ୟନ୍ତ ଜିଲ୍ଲାରେ 257 ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଆଜି(ଶୁକ୍ରବାର) ପୁଣି 65 ଜଣ ପଜେଟିଭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।