ସୁବର୍ଣ୍ଣପୁର: ପ୍ରଚଣ୍ଡ ତାତି ସାଙ୍ଗକୁ ଜଳ ସଙ୍କଟ । ବିନିକା ବ୍ଳକର ସକମା ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା । ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ତିନିବର୍ଷ ତଳେ ପାନୀୟ ଜଳ ପ୍ରକଳ୍ପ ତିଆରି କରାଯାଇ ମହାନଦୀରୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ହେଲେ ପ୍ରକଳ୍ପରେ ତ୍ରୁଟି ଯୋଗୁଁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ।
ଭିଡିଓ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର ପ୍ରକଳ୍ପ ଆରମ୍ଭରୁ 2ଟି ୱାର୍ଡର ପ୍ରାୟ 1000 ଲୋକ ପିଇବା ପାଣି ପାଉ ନାହାନ୍ତି । ବାକି 2ଟି ୱାର୍ଡର ଲୋକେ ବି ବର୍ଷର ବିଭିନ୍ନ ସମୟରେ ପିଇବା ପାଣି ସଂଗ୍ରହ କରିବା ପାଇଁ ନଳକୂପ କିମ୍ବା ନଦୀ ଉପରେ ନିର୍ଭର କରୁଛନ୍ତି । ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରି ସାରା ଗାଁକୁ ପାଣି ଯୋଗାଇ ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।
ପ୍ରାୟ 1800ରୁ ଅଧିକ ଲୋକ ରହୁଥିବା ଏହି ଗାଁକୁ ପାଇପ ପାଣି ଯୋଗାଇ ଦେବା ପାଇଁ ତିନି ବର୍ଷ ତଳେ ପ୍ରକଳ୍ପ କାର୍ଯ୍ୟ ସରିଛି । ଗାଁରେ ଚାରୋଟି ୱାର୍ଡ ପାଇଁ 18 ଗୋଟି ଷ୍ଟାଣ୍ଡ ପୋଷ୍ଟ ତିଆରି କରାଯିବା ସହ ଗାଁ ସାରା ପାଇପ ବିଛା ଯାଇଛି । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯାଇଛି 42 ଲକ୍ଷ ଟଙ୍କା । ହେଲେ ଅନେକ ଜାଗାରେ ପାଇପ ଫାଟି ଯାଇଛି ତ କେତେକ ସ୍ଥାନର ଷ୍ଟାଣ୍ଡପୋଷ୍ଟ ଭାଙ୍ଗି ଯାଇଛି ।
ବିଶେଷକରି ଗ୍ରୀଷ୍ମ ସମୟରେ ପ୍ରକଳ୍ପ ଚାଲୁ ନଥିବାରୁ ଲୋକଙ୍କୁ ନଳକୂଅ ଅବା ନିକଟସ୍ଥ ଅନ୍ୟାନ୍ୟ ଜଳ ଉତ୍ସ ଉପରେ ହିଁ ନିର୍ଭର କରିବାକୁ ପଡୁଛି। ଅପରପକ୍ଷରେ ତୁରନ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ନିର୍ବାହୀ ଯନ୍ତ୍ରୀ କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ