ସୁବର୍ଣ୍ଣପୁର: ଲଘୁଚାପ ଜନିତ ବର୍ଷା ଯୋଗୁଁ ମହାନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଫଳରେ ମହାନଦୀର ବନ୍ୟାଜଳ ସୁବର୍ଣ୍ଣପୁରରେ ପ୍ରବେଶ କରିଛି । ବିଶେଷକରି ସହରର ତଳିଆ ଅଞ୍ଚଳ ବନ୍ୟାପାଣି ଘେରରେ ରହିଥିବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସହରର ଟିକିରି ପଡା, ତେନ୍ତୁଳି ଘାଟ ପଡା, ତରିଆ ପଡା ଓ କୁମ୍ଭାର ପଡାର ଲୋକେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ, ଯାତାୟତ ପାଇଁ ଡଙ୍ଗାର ସାହାଯ୍ୟ ନେଉଛନ୍ତି । ଏହି ଅବସ୍ଥାରେ ଲୋକେ ପ୍ରଶାସନକୁ ଶୁଖିଲା ଖାଦ୍ୟ ଯୋଗାଇବା ନିମନ୍ତେ ଅନୁରୋଧ କରିଛନ୍ତି ।
ଅନବରତ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ପାଣି ନିଷ୍କାସନ ହୋଇ ନପାରି କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି । ରାମେଶ୍ୱର ମନ୍ଦିରର ପିଣ୍ଡିକୁ ବନ୍ୟା ଜଳ ମାଡି ଆସିଛି। ତେବେ ଆଉ ଏକ ଫୁଟ ପାଣି ଫୁଲିଲେ ରାମେଶ୍ୱର ମନ୍ଦିର ଭିତରକୁ ପାଣି ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ମଧ୍ୟ ସଜାଗ ରହିଛି ।