ସୋନପୁର:ସମାଜରେ ଆଜି ବି ଭରି ରହିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର ପ୍ରଥା । ବିଜ୍ଞାନ ଯେତେ ଆଗକୁ ଗଲେ ସୁଦ୍ଧା ଅନ୍ଧବିଶ୍ବାସର ଅନ୍ଧଗଳିରୁ ମୁକୁଳି ପାରୁନି ମନୁଷ୍ୟ । ଫଳରେ ଅନେକ ସମୟରେ ସାହାର ଦେବା ବଦଳରେ ମାନବିକତା ହରାଇ ନୃଶଂସ ପାଲଟୁଛି ମାନବ ଜାତି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋନପୁର ମହଦା ଗ୍ରାମ ପଞ୍ଚାୟତର ପାଲି ଗାଁରେ । ଗାଁର ଜଣେ ମହିଳାଙ୍କ ଗୋଡ଼ର କ୍ଷତ ଭଲ ହୋଇନଥିଲା । ଏପରିକି କ୍ଷତ ସ୍ଥାନରେ ପୋକ ହୋଇ ଯାଇଥିଲା । ଫଳରେ ମହିଳାଙ୍କୁ କୁଷ୍ଠ ରୋଗର ଶିକାର ହୋଇଥିବା କହି ଜାତିଭାଇ ଗାଁ ଛାଡି ଚାଲିଯିବାକୁ କହିଥିଲେ । ଗାଁରୁ ନଗଲେ ଜାତିରୁ ବାସନ୍ଦ କରାଯିବ ବୋଲି ଧମକ ଦେଇ ସନ୍ଧ୍ୟାବେଳେ ଗାଁରୁ ତଡିଦେଲେ ଗ୍ରାମବାସୀ । ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାରେ ।
ସୂଚନା ଅନୁଯାୟୀ, ସୋନପୁର ମହଦା ଗ୍ରାମ ପଞ୍ଚାୟତର ପାଲି ଗାଁର ଜଣେ ମହିଳାଙ୍କ ଗୋଡ଼ର କ୍ଷତ ଭଲ ହୋଇନଥିଲା । ଚିକିତ୍ସା ଅବହେଳାରୁ କ୍ଷତରେ ପୋକ ହୋଇ ଯାଇଥିଲା । ଏହାପରେ ଗାଁ ଲୋକେ ମହିଳାଙ୍କୁ କୁଷ୍ଠ ରୋଗ ହୋଇଥିବା କହି ଗାଁ ଛାଡି ଚାଲିଯିବାକୁ କହିଥିଲେ । ଏପରିକି ଗାଁରୁ ନଗଲେ ପୁଅ ଓ ପରିବାର ଲୋକଙ୍କୁ ଜାତିରୁ ବାସନ୍ଦ କରାଯିବ ବୋଲି ଧମକ ଦେବା ସହ ସନ୍ଧ୍ୟାବେଳେ ଗାଁରୁ ତଡିଦେଲେ ଗ୍ରାମବାସୀ । ଏହାପରେ ମହିଳା ଜଣକ ସନ୍ଧ୍ୟାବେଳେ ଘରୁ ଚାଲି ଚାଲି ଆସି ଗାଁ ନିକଟ ନଦୀ କୂଳରେ ଥିବା ଏକ ପମ୍ପ ଘରରେ ଆଶ୍ରୟ ନେଇଥିଲେ ।