ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ 18 ରୁ 44 ବର୍ଷୀୟ ଲୋକଙ୍କୁ ଟୀକାକରଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପାଖରେ ଦାବି କରାଯାଇଛି । ଆସନ୍ତାକାଲି ରାଜ୍ୟର ଅନେକ ଜିଲ୍ଲାରେ 18 ବର୍ଷରୁ ଅଧିକ ବୟସ୍କଙ୍କୁ ଟୀକାକରଣ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପାରୁନାହିଁ ।
ଆସନ୍ତାକାଲି ହେବନି ଯୁବବର୍ଗଙ୍କ ଟୀକାକରଣ ତେବେ ତୁରନ୍ତ ଯୁବବର୍ଗକୁ ଟୀକାକରଣ କରିବା ସହିତ କୋଭିଡ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ପରିମାଣର ଅକ୍ସିଜେନ, ଭେଣ୍ଟି ଲେଟର ସହିତ ଆବଶ୍ୟକ ଔଷଧ ମହଜୁଦ ରଖିବା ପାଇଁ ଦାବି ଜଣାଇଛନ୍ତି । ଜିଲ୍ଲାରେ ଅନେକ ସମୟରେ କୋଭିଡ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଉ ନ ଥିବା ନେଇ ଅଭିଯୋଗ ହୋଇଛି ।
କୋଭିଡ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଥିବା ଭେଣ୍ଟିଲେଟର ଟେକ୍ନିସିଆନ ଅଭାବରୁ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ । ଚିକିତ୍ସା କେନ୍ଦ୍ରରେ ଡିଜିଟାଲ ଏକ୍ସରେ ମେସିନ ପ୍ରତିଷ୍ଠା କରାଯାଇ ପାରି ନାହିଁ । ତେବେ କୋଭିଡ ଚିକିତ୍ସା କେନ୍ଦ୍ରକୁ ସ୍ୱୟଂ ସମ୍ପୂର୍ଣ୍ଣ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ସହିତ 18ରୁ ଅଧିକ ବୟସ୍କ ଲୋକଙ୍କୁ ଟୀକା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ତେବେ ଜିଲ୍ଲାପାଳଙ୍କ ଅନୁମତି ମିଳିବା ପରେ ଜିଲ୍ଲାରେ 18 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ