ସୁବର୍ଣ୍ଣପୁର:ତିନି ଦିନ ପରେ ଅକ୍ଷୟ ତୃତୀୟା । ଚାଷୀକୂଳ ଆଗାମୀ ଖରିଫ ଋତୁ ଧାନ ଚାଷ ପାଇଁ ହଳ କରିବ ଓ ବିହନ ବୁଣିବ । ମାଟି ମାଆ ଓ ଦେବୀ ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରି ଅକ୍ଷିମୂଠି ଅନୁକୂଳ କରିବ । ହେଲେ ଚଳିତ ରବି ଋତୁରେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ବେଶ୍ କ୍ଷତିଗ୍ରସ୍ତ ହୋଇଛନ୍ତି । ପ୍ରଚଣ୍ଡ ରୌଦ୍ରତାପରେ ରବି ଧାନ ଚାଷ ସବୁ ପୋଲ ମାରି ଯାଇଛି । ଜିଲ୍ଲାର ପ୍ରାୟ ୩୦ ଭାଗରୁ ଅଧିକ ଚାଷଜମିରେ ଆଶାନୁରୂପ ଉତ୍ପାଦନ ହେବ ନାହିଁ ବୋଲି ଚାଷୀ ଅନୁମାନ କରିିଛି । ଗୋଟିଏ ପଟେ ରବି ଋତୁ ଧାନ ଚାଷରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ବୋଲି ଆକଳନ କରାଯାଉଥିବା ବେଳେ ଏବେ ଚାଷୀ ଉପରେ ଦାଉ ସାଧିଛି ଅଦିନିଆ ବର୍ଷା । ଆଜି ପାହାନ୍ତିଆରେ ଅସରାଏ ବର୍ଷା ଯୋଗୁଁ ଚାଷୀ ପୁଣି କ୍ଷତିଗ୍ରସ୍ତ ହୋଇଛି ।
ରାଜ୍ୟରେ କିଛି ଦିନ ହେଲା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା । ଟାଣ ଖରା ଯୋଗୁଁ ବିଲରେ ଧାନ ପୋଲ ମାରିଯାଇଛି । ଏହାରି ଭିତରେ ଆଜି ହଠାତ୍ ପାଗ ପରିବର୍ତ୍ତନ ଚାଷୀ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ଅସରାଏ ବର୍ଷା କାରଣରୁ ଚାଷଜମି ସବୁ ଚକଡା ପୋକର ଶିକାର ହେବ ବୋଲି ଚାଷୀ ଅନୁମାନ କରିଛି । ସେପଟେ ଚକଡା ପୋକ ମାରିବାକୁ ବଜାରରେ ମିଳୁଥିବା କୀଟନାଶକ ଔଷଧରେ ଭେଜାଲ ମିଶୁଥିବାରୁ ଏହାକୁ ପ୍ରୟୋଗ କରି ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି ।