ଓଡିଶା

odisha

ETV Bharat / state

ବାନ୍ଧକଳାର ଉତ୍କୃଷ୍ଟ ନିଦର୍ଶନ, ତନ୍ତ କହୁଛି ଦେଶଭକ୍ତିର ଗାଥା - ଶାଢୀରେ ଭାରତ ମାନଚିତ୍ର

ଓଡିଶାର ଉତ୍କୃଷ୍ଟ ବାନ୍ଧକଳାର ଚମତ୍କାର ନିଦର୍ଶନ । ଶାଢୀରେ ଶୋଭା ପାଇଛି କାଶ୍ମୀର ଠାରୁ କନ୍ୟାକୁମାରୀ, ଅଖଣ୍ଡ ଭାରତର ମାନଚିତ୍ର । ଲେଖାଅଛି ଦେଶାତ୍ମାବୋଧକ ସ୍ଲୋଗାନ ଜୟ ଜବାନ ଜୟ କିଶାନ ଓ ଆଇ ଲଭ ମାଇ ଇଣ୍ଡିଆ ବାର୍ତ୍ତା । ଦେଖନ୍ତୁ..ସୋନପୁରରୁ ଜଣେ ଅନନ୍ୟ ବିନ୍ଧାଣୀଙ୍କ ଅନବିଦ୍ୟ ବାନ୍ଧକଳା ।

not ready
not ready

By

Published : Apr 1, 2021, 8:26 PM IST

ସୁବର୍ଣ୍ଣପୁର: ବୟନ ଶିଳ୍ପ କ୍ଷେତ୍ରରେ ବାନ୍ଧକଳାର ଏନ୍ତୁଡିଶାଳ ଭାବେ ପରିଚିତ ସୁବର୍ଣ୍ଣପୁର । ଏହି ଅଂଚଳର କୁଶଳୀ ବୁଣାକାରମାନେ ସଁପୁର ସୂତାରେ ପ୍ରାକୃତିକ ରଂଗ ଭରି ଏପରି ସୁକ୍ଷ୍ମବସ୍ତ୍ର ତିଆରି କରନ୍ତି ଯେ ଖାଲି ରାଜ୍ୟ କି ଦେଶ ନୁହେଁ,ଅନ୍ତର୍ଜାତୀୟ ସ୍ତରରେ ଏହା ବେଶ ଚହଳ ସୃଷ୍ଟି କରେ । ଭଳିକି ଭଳି ବସ୍ତ୍ର ଉତ୍ପାଦନରେ ବେଶ ସିଦ୍ଧହସ୍ତ ବାନ୍ଧ କାରିଗରମାନେ ନୂଆ ନୁଆ ଡିଜାଇନର ବସ୍ତ୍ର ତିଆରି କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଅନେକ ବୁଣାକାର ସମ୍ମାନୀତ ହୋଇଛନ୍ତି । ଆଉ ଏବେ ଏପରି ଏକ ଭିନ୍ନ ଧରଣର ବସ୍ତ୍ର ପ୍ରସ୍ତୁତ କରି ବେଶ ଚର୍ଚ୍ଚାରେ ଅଛନ୍ତି ଜିଲ୍ଲାର ସହଲା ଗାଁର ଜଣେ ଯୁବ ବୁଣାକାର ଇଶ୍ବର ମେହେର । ବାନ୍ଧକଳାର ପ୍ରୟୋଗରେ ଶାଢୀ ଦେହରେ ସେ ପ୍ରସ୍ତୁତ କରିଛନ୍ତି ଭାରତ ମାନଚିତ୍ର ।

ବାନ୍ଧକଳାର ଉତ୍କୃଷ୍ଟ ନିଦର୍ଶନ , ତନ୍ତ କହୁଛି ଦେଶଭକ୍ତିର ଗାଥା

ଦେଶର ସମସ୍ତ ପ୍ରଦେଶକୁ ସ୍ଥାନୀତ କରିଛନ୍ତି ଏହି ବସ୍ତ୍ରରେ । ପ୍ରଦେଶ ଗୁଡିକର ଅଲଗା ଅଲଗା ମାନଚିତ୍ର ସାଙ୍ଗକୁ ନାଁ ମଧ୍ୟ ଶୋଭା ପାଉଛି ଏହି ବସ୍ତ୍ରରେ । ଆହୁରି ବି ବସ୍ତ୍ର ଦେହରେ ପଡୋଶୀ ଦେଶ ,ଦେଶର ଚତୁଃପାର୍ଶ୍ବରୁ ଚିତ୍ର ସାଙ୍ଗକୁ ତାର ନାମ କରଣ ମଧ୍ୟ କରାଯାଇଛି । ଏବେ ଇଶ୍ବରଙ୍କ ଏହି ନୂତନ ରଚନା ଜିଲ୍ଲାର ଗୃହିଣୀମାନଙ୍କ ଭିତରେ ଚହଳ ସୃଷ୍ଟି କରିଛି । ଅତି ସୁକ୍ଷ୍ମ ସୂତାରେ ପ୍ରାକୃତିକ ରଙ୍ଗ ବୋଳି ଦେଶୀ ତନ୍ତର ସହାୟତାରେ ପ୍ରସ୍ତୁତ କରିଛନ୍ତି ଏହି ନୂଆ ଡିଜାଇନର ବସ୍ତ୍ର । ସଁପୁର ସୂତାରେ ତିଆରି ହୋଇଥିବାରୁ ପରିଧାନରେ ବେଶ ଆରାମ ଦାୟକ ହୋଇ ପାରିଛି ଏହି ବସ୍ତ୍ର ।

ବସ୍ତ୍ର ଦେହରେ ବିଭିନ୍ନ କଳାକୃତିର ରଚନାରେ ସିଦ୍ଧହସ୍ତ ଜିଲ୍ଲାର ବାନ୍ଧଶିଳ୍ପୀ ଓ ବୁଣାକାର । ହେଲେ ସବୁ ସମୟରେ ବସ୍ତ୍ର ଦେହରେ କିଛି ନୂତନ ସୃଷ୍ଟି କରି ବୟନ ଶିଳ୍ପରେ ଉତ୍କର୍ଷ ଲାଭକରିଛି ଏହି ଅଂଚଳ । ସୁକ୍ଷ୍ମାତିସୁକ୍ଷ୍ମ ସୂତା ,ପ୍ରାକୃତିକ ରଂଗ , ନୂଆ ଡିଜାଇନ , ଆକର୍ଷଣୀୟ ରଂଗ ବେରଂଗର ଚିତ୍ର ଆଦି ପାଇଁ ବୁଣାକାରମାନେ ସବୁ ମହଲରେ ସବୁ ସମୟରେ ପ୍ରଶଂସିତ ହୋଇଛନ୍ତି । ଯାହା ପୁଣି ଥରେ ଦେଖିବାକୁ ମିଳିଛି ଇଶ୍ବରଙ୍କ ଏହି ଅନନ୍ୟ ବସ୍ତ୍ରରେ । ବସ୍ତ୍ର ଦେହରେ ଜାତୀୟ ସୁରକ୍ଷା ଓ ଦେଶ ପ୍ରେମ ଜାଗ୍ରତ କରିବାର ପ୍ରୟାସକୁ ଗୃହିଣୀ ଓ ଗବେଷକମାନେ ବେଶ ପ୍ରଶଂସା କରିଛନ୍ତି ।

ସାଢେ 5 ମିଟରର ଏହି ପାଟ ଶାଢୀରେ ଆଙ୍କିତ ପ୍ରତିଟି ଛବି କହୁଛି କଳାକୃତିରେ କେତେ ସିଦ୍ଧହସ୍ତ ଓଡିଶା । ଯଦି ଏଭଳି ନିଆରା କଳାକୁ ପ୍ରୋତ୍ସାହନ ମିଳେ ତେବେ ବୟନଶିଳ୍ପରେ ଓଡିଶା ଓ ଓଡିଶା ଶିଳ୍ପୀ ସବୁଠି ଛାଡିପାରିବେ ନିଜର ଛାପ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details