ସୁବର୍ଣ୍ଣପୁର:ପାରମ୍ପରିକ ଲୋକବାଦ୍ୟ ଷୋହଳ ଭର୍ଣ୍ଣି ବାଦ୍ୟ । ଏହି ବାଦ୍ୟର ଗୁରୁଗମ୍ଭିର ଧ୍ବନିରେ ମୁଖରିତ ହୁଏ ସାରା ପରିବେଶ । ବିଶେଷକରି ସୋନପୁର ଗଡଜାତର ମହାବଳି ଯାତ୍ରାରେ ଏହି ଷୋହଳ ଭର୍ଣ୍ଣି ବାଦ୍ୟର ପ୍ରୟୋଗ ହୁଏ । କାହିଁ କେଉଁ ଅମଳରୁ ବଳିଯାତ୍ରାରେ ମାହେଶ୍ବରୀ ବା ଚେପଟା ଢୋଲ ବ୍ୟବହାର ହୋଇ ଆସୁଛି। ପାଟ ଢୋଲିଆ ଚେପଟା ଢୋଲରେ ପର୍ଯ୍ୟାୟ କ୍ରମେ ଖାଡି ପରେ ଖାଡି ଷୋହଳ ଖାଡି ବାଦ୍ୟ ବଜାଇ ଯନ୍ତ୍ରାଋଢ ବରୁଆ ଦେହରେ ଦୈବୀଶକ୍ତି ପ୍ରକଟିତ କରିବାରେ ସହାୟକ ହୁଅନ୍ତି । ତାନ୍ତ୍ରିକ ପଦ୍ଧତିରେ ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ଓ ରହସ୍ୟମୟ ମନ୍ତ୍ରର ପ୍ରୟୋଗରେ ବଳିଯାତ୍ରା ପାଳନ କରାଯାଏ ।
ଷୋହଳ ଭର୍ଣ୍ଣି ବାଦ୍ୟର ପ୍ରମୁଖ କେନ୍ଦ୍ର ପାଟ ଢୋଲ ବା ଚେପଟା ଢୋଲ । ଏହି ଢୋଲଟି ଚେପଟା ଆକୃତିର ବୋଲି ଏହାକୁ ଚେପଟା ଢୋଲ କୁହାଯାଏ । ବାଦ୍ୟ ଯନ୍ତ୍ରରେ ମାହେଶ୍ବରୀ ବିରାଜମାନ କରିଥିବା ବିଶ୍ବାସ ଥିବାରୁ ଏହା ପାଟ ଢୋଲ ବା ବଳିଯାତ୍ରାର ପ୍ରମୁଖ ଢୋଲ ବୋଲି କୁହାଯାଏ। ଏନେଇ ଲୋକ ସଂସ୍କୃତି ଗବେଷକ କହିଛନ୍ତି, "ମା'ଙ୍କୁ ଖୁସି କରିବା ପାଇଁ ଷୋହଳ ଭର୍ଣ୍ଣି ବାଦ୍ୟ ବଜାଯାଏ। ଏଥିରେ ପାଟ ଢୋଲକୁ ସର୍ବପୁରାତନ ବୋଲି କୁହାଯାଏ। ଏହା ଇତିହାସ ସହ ଯୋଡ଼ି ହୋଇ ରହିଛି ।"