ସୁବର୍ଣ୍ଣପୁର: ଆଗାମୀ ଖରିଫ ଋତୁ ପାଇଁ ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରଛି । ହେଲେ ରବି ଋତୁରେ ଉତ୍ପାଦିତ ଧାନ ଏଯାଏଁ ବିକ୍ରୀ କରି ପାରିନାହିଁ । ସଦର ସୋନପୁର ,ବୀରମହାରାଜପୁର ଉପଖଣ୍ଡର ବୀରମହାରାଜପୁର ଓ ଉଲୁଣ୍ଡା ବ୍ଳକର ଚାଷୀମାନେ ଧାନ ବିକ୍ରୀ କରି ପାରୁ ନଥିବା ଅଭିଯୋଗ ହୋଇଛି । ପାହାଡିଆ ,ମାଳ ,ପଡିଆ ଓ ଆଟ କିସମ ଆଦି ଜମିରେ ଉଠାଜଳସେଚନ ମାଧ୍ୟମରେ ଚାଷୀ ରବି ଋତୁରେ ଧାନ ଉତ୍ପାଦନ କରିଥିବା ବେଳେ ସେହି ଧାନ ବିକ୍ରୀ ପାଇଁ ଚାଷୀ ଟୋକନ ପାଉନାହିଁ ।
ଏନେଇ ଜିଲ୍ଲା କୃଷକ ସଂଗଠନର ସଭାପତି ବୈକୁଣ୍ଠ ଶତପଥୀଙ୍କ ନେତୃତ୍ବରେ ଚାଷୀ ପ୍ରତିନିଧୀ ଦଳ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏଯାଏଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରିନାହିଁ ।