ସୁବର୍ଣ୍ଣପୁର: ସହରର ଦେବାଙ୍ଗୁଲୁ ବା ଢ଼େରା ସମ୍ପ୍ରଦାୟର କୃଷି ଭିତ୍ତିକ ହରଗୌରୀ ଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ଶନିବାର ଶେଷ ସନ୍ଧ୍ୟାରେ ଦେବ ଦମ୍ପତି ଗୋଟିଏ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ସନ୍ଧ୍ୟାରେ ହରଗୌରୀ ଢ଼େରା ପଡାରେ ନଗର ଭ୍ରମଣ କରିବେ ।
ଆଜି ବି ଠାକୁରାଣୀଙ୍କ ଷୋଡଶ ଉପଚାର ପୂଜା ଓ ମଣ୍ଡପରେ ରୁଦ୍ରାଭିଷେକ କରାଯାଇଛି । ଗୌରାମା ସମ୍ବ୍ରାଲୁ ଏହି ଯାତ୍ରାରେ ସହରର ରାମେଶ୍ବର ମନ୍ଦିରର ଚାଷ ଜମିରୁ ଧାନ ଗଛକୁ ଗୌରୀ ଭାବେ ଆବାହନ କରାଯାଇଥିବା ବେଳେ ସହରର ଜଣେ ବିଶିଷ୍ଟ ଶିଳ୍ପୀଙ୍କ ବାସଭବନରୁ ହରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଠାକୁରାଣୀ ପୀଠର ସମ୍ମୁଖରେ ଯାତ୍ରା ପାଇଁ ନିର୍ମିତ ମଣ୍ଡପରୁ ଦେବାଦେବୀ ଆସନ୍ତାକାଲି ସାହିରେ ନଗର ଭ୍ରମଣ କରିବାକୁ ଥିବା ବେଳେ ତହିଁ ପର ଦିନ ମହାନଦୀରେ ବିସର୍ଜନ ପର୍ବ ପାଳନ କରାଯିବ।