ସୁବର୍ଣ୍ଣପୁର: ଅବହେଳିତ ଅବସ୍ଥାରେ ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର । ଜଗନ୍ନାଥଙ୍କ ଆଦି କ୍ଷେତ୍ର ତଥା ଗୁପ୍ତ ଲୀଳାକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି କେବଳ ପ୍ରତିଶୃତିରେ ସୀମିତ ରହିଯାଇଛି । ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ସରକାରୀ ଅନୁଦାନ ମିଳୁନଥିବା ଅଭିଯୋଗ ହେଉଛି । ଗତ 4 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ । ସଚିବଙ୍କ ପରିଦର୍ଶନ ପରେ ପାତାଳୀ ଶ୍ରୀକ୍ଷେତ୍ରକୁ ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ସରକାରୀ ଅନୁଦାନ ଘୋଷଣା କରିବା ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାବାସୀ ଆଶାବାଦୀ ଥିଲେ ।
ହେଲେ ନିର୍ଦ୍ଦିଷ୍ଟ ଭାବେ କିଛି ଘୋଷଣା କରାଯାଇନଥିବାବେଳେ 5T ସଚିବ ଏହି ପୀଠର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିବା କହିଛନ୍ତି ଗ୍ରାମବାସୀ । ତେବେ ଏହି ପାବନ ପୀଠରେ ରୋପ-ୱେ ନିର୍ମାଣ ପାଇଁ ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ 10 କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରି ରୋପ୍ ୱେର ଶିଳାନ୍ୟାସ ବି କରିଥିଲେ । ହେଲେ ପ୍ରାୟ 5 ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ରୋପ୍ ୱେ ନିର୍ମାଣ ହୋଇନାହିଁ ।
ସେହିପରି ଏହି ଆଧ୍ୟାତ୍ମିକ ପୀଠକୁ ଅନେକ ଥର ପରିଦର୍ଶନ କରିଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସକ । ହେଲେ ଏହାର ବିକାଶ କେବଳ ପ୍ରତିଶୃତି ହିଁ ସୀମିତ ରହିଥିବା ଅଭିଯୋଗ ହୋଇଛି । ପ୍ରାକୃତିକ ଶୋଭାରାଜିରେ ଭରପୁର ଏହି ପାବନ ପୀଠର ଛଳିଆ ପାହାଡ଼ରେ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥରେ ଶ୍ରୀମନ୍ଦିର ନିର୍ମାଣ କରାଯାଇଛି । ପୁରୀ ଗଜପତି ଦିବ୍ୟ ସିଂହ ଦେବ ପରିଦର୍ଶନରେ ଆସି ପୁରୀ ଶ୍ରୀକ୍ଷେତ୍ର ଶୈଳୀରେ ଏକ ଶ୍ରୀମନ୍ଦିର ନିର୍ମାଣ କରିବା ପାଇଁ ଭୂମି ପୂଜନ କରିଛନ୍ତି ।