ସୁବର୍ଣ୍ଣପୁର: ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଜାତୀୟ ସ୍ଵାସ୍ଥ୍ୟ ମିଶନରେ ପାଞ୍ଚ କୋଟି ଟଙ୍କା ହେରଫେର ମାମଲାର ପର୍ଦ୍ଦାଫାଶ ହୋଇଛି । କ୍ରାଇମବ୍ରାଞ୍ଚ ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବତନ ହିସାବ ରକ୍ଷକ ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ଚରଣ ପ୍ରଧାନ ଏହି ହେରଫେର ମାମଲାରେ ସଂପୃକ୍ତ ବୋଲି ଜଣାପଡ଼ିଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପବ୍ଲିକ ଫାଇନାନସିଆଲ ମ୍ୟାନେଜମେଣ୍ଟକୁ ହ୍ୟାକ କରି ଗତ 7 ଏପ୍ରିଲ 2021ରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଜାତୀୟ ସ୍ବାସ୍ଥ୍ୟ ମିଶନ (ଜେଏସଏସ, ଏନ୍ଏଚ୍ଏମ୍) ଆକାଉଣ୍ଟରୁ ଅନଧିକୃତ ଭାବରେ 5,01,50,000 ଟଙ୍କା ଖର୍ଚ୍ଚ କରାଯାଇଛି । ଜାତୀୟ ସ୍ବାସ୍ଥ୍ୟ ମିଶନର ସିଷ୍ଟମର(PFMS)ଅନୁସନ୍ଧାନ ସମୟରେ ଏହା ଜଣାପଡିଛି । ରାଜକିଶୋର ନାୟକ ପୂର୍ବରୁ ମୁଖ୍ୟ ଚିକିତ୍ସାଳୟର ଏନ.ଏଚ.ଏମରେ ଅସ୍ଥାୟୀ ଭିତ୍ତିରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ସେ 24.12.2020ରେ ଚାକିରୀ ଛାଡିଥିଲେ । ଗତ ମାର୍ଚ୍ଚ ମାସରେ ରାଜକିଶୋରଙ୍କ ସହିତ ଅନନ୍ତ ଅନ୍ୟମାନଙ୍କ ସହ ମିଶି ଏନ.ଏଚ.ଏମ ସିଷ୍ଟମ ଅର୍ଥାତ୍ ପି.ଏଫ.ଏମ.ଏସ.ର ପୋର୍ଟାଲକୁ ଅନଧିକୃତ ଭାବରେ ହ୍ୟାକ୍ କରି 5,01,50,000 ଟଙ୍କା ମୂଲ୍ୟର ଏକ ଇ-ଚେକ୍ ସୃଷ୍ଟି କରି ସରକାରୀ ଅନୁଦାନ ହଡପ କରିଥିଲେ ।