ସୁବର୍ଣ୍ଣପୁର:ଜିଲ୍ଲାର ବିନିକା ସହରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଫେଲ ମାରିଛି । ସହରରେ ବର୍ଜ୍ୟବସ୍ତୁ ଜମା କରିବା ପାଇଁ ଏନଏସି ପକ୍ଷରୁ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇ ପାରିନାହିଁ, ଫଳରେ ସହର ସାରା କୁଢ଼କୁଢ଼ ଅଳିଆ ଆବର୍ଜନା ପଡି ରହିଛି । ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସହରର ପରିଷ୍କାର ପରିଚ୍ଛନ୍ନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜନସାଧାରଣ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏନଏସି କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।
ଏହି ଐତିହାସିକ ସହରରେ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିିଛି । ସହରରେ ବର୍ଜ୍ୟବସ୍ତୁ ଜମା କରିବା ପାଇଁ ଏନଏସି ପକ୍ଷରୁ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇ ନ ଥିବାରୁ ସହରରେ ଅଳିଆ ଆବର୍ଜନା ଅନେକ ସ୍ଥାନରେ ପାହାଡ଼ ପରି ପଡି ରହିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନଗୁଡ଼ିକ ପାଖରେ ଅଳିଆ ଆବର୍ଜନା ସବୁ ପକାଇ ଦିଆଯାଉଥିବା ବେଳେ ଦୀର୍ଘ ଦିନ ଧରି ସଫା କରାଯାଉ ନାହିଁ । ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ଆବଶ୍ୟକ ସଫେଇ କର୍ମଚାରୀ ନିଯୁକ୍ତି ଦେବା ସହିତ ଗାଡି ମୋଟର ଓ ଯନ୍ତ୍ରପାତିର ବି ବିଜ୍ଞାପିତ ଅଂଚଳ ପରିଷଦରେ ଅଭାବ ରହିଥିବା ସଫେଇ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ।