ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ଅଫିସର ଜଣେ କିରାଣୀଙ୍କ ମୃତଦେହ ଉଦ୍ଧାର । କିରାଣୀଙ୍କ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ।
ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସର ଜଣେ ବରିଷ୍ଠ କିରାଣୀଙ୍କ ବେକରେ ରଶିଲାଗିଥିବା ମୃତଦେହ ଉଦ୍ଧାର ହୋଇଛି । ଶିବରାମ ବିଶ୍ୱାଳ(40) ନାମକ ଜଣେ ବରିଷ୍ଠ ଅଧିକାରୀଙ୍କ ସରକାରୀ ବାସଭବନ ଚଟାଣରୁ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । ସୁବର୍ଣ୍ଣପୁର ଯୋଗାଣ କାର୍ଯ୍ୟାଳୟ ନିକଟସ୍ଥ କ୍ଲଷ୍ଟର ହାଉସ କଲୋନୀରେ ରହୁଥିବା ସରକାରୀ କ୍ୱାର୍ଟରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶିବରାମଙ୍କ ମୃତଦେହକୁ ପରିବାର ଲୋକ, ମାଜିଷ୍ଟ୍ରେଟ୍ ଓ ସାଇଣ୍ଟିଫିକ୍ ଟିମ ଉପସ୍ଥିତିରେ ପୋଲିସ ଉଦ୍ଧାର କରିଛି । ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ ।
ଶିବରାମ ୧୦ ବର୍ଷ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଦେଖି ତାଙ୍କ ସହକର୍ମୀମାନେ ଫୋନରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଯୋଗାଯୋଗ ସମ୍ଭବ ନ ହେବାରୁ ପୋଲିସକୁ ଖବର ଦେଇଥିଲେ । ଘର ଭିତର ଚଟାଣରେ ମୃତଦେହ ପଡି ରହିଥିବାର ଦେଖି ଅପରାହ୍ନରେ ପୋଲିସ ମୃତଦେହ ଉଦ୍ଧାର କରିଛି । ତେବେ ତାଙ୍କ ପତ୍ନୀ ଓ ପୁଅ-ଝିଅ କିଛି ଦିନ ପୂର୍ବରୁ ଗାଁକୁ ଯାଇଥିଲେ । ଆଜି(ମଙ୍ଗଳବାର) ଖବର ପାଇ ପରିବାର ଲୋକେ ସରକାରୀ ବାସଭବନରେ ପହଞ୍ଚିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ ସୂଚନା ଦେଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ