ସୁବର୍ଣ୍ଣପୁର: ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥକୁ ଲାଗି ରହିଥିବା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ ପଡା ଗାଁରେ ଦେଢ଼ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ରାସ୍ତା ଉପରେ ଆଣ୍ଠୁଏ କାଦୁଅ ଭର୍ତ୍ତି ହୋଇଥିବା ବେଳେ ବର୍ଷା ଜଳ ବି ନିଷ୍କାସନ ହୋଇ ପାରୁ ନାହିଁ । ଫଳରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଗାଁ ଲୋକେ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।
ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ବ୍ୟବସ୍ଥା ନଥିବାରୁ ମାଟି ଖସି ରାସ୍ତା ଉପରେ ପଡୁଛି । ଫଳରେ ରାସ୍ତା କାଦୁଅ ହେବା ସାଙ୍ଗକୁ ରାସ୍ତାରେ ପାଣି ଜମି ରହୁଛି । ଲୋକଙ୍କ ଯା ଆସରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ଗାଁ ଲୋକେ ବିଶିପଡା ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପାଖରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଅନେକ ବାର ଡ୍ରେନ ସହିତ ପକ୍କା ରାସ୍ତା ତିଆରି ପାଇଁ ଦାବି କରିଛନ୍ତି ।