ସୁବର୍ଣ୍ଣପୁର: ଆଜି ଶ୍ରାବଣ ମାସର ଶେଷ ସୋମବାର । ଶୈବଭକ୍ତମାନେ ଆଜିର ଦିନରେ ବାବାଙ୍କ ଉପରେ ପାଣି ଢାଳି କୃପା ଭିକ୍ଷା କରିଥାନ୍ତି । ହେଲେ ମହାମାରୀ କୋରୋନା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଶୈବପୀଠ ଗୁଡିକରେ ଜନସମାଗମକୁ ବାରଣ କରାଯାଇଛି । ଫଳରେ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । କୋଭିଡ କଟକଣା ମଧ୍ୟରେ ଆଜକୁ ପ୍ରାୟ ଆଠ ଦିନ ହେଲା ଜିଲ୍ଲାର ସମସ୍ତ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିଛି । କୋଭିଡ ନିୟମ ପାଳନ କରି ଶ୍ରଦ୍ଧାଳୁମାନେ ଦେବଦେବୀଙ୍କ ଦର୍ଶନ କରି ପାରିବେ ବୋଲି ଦେବୋତ୍ତର ବିଭାଗ ଅନୁମତି ଦେଇଛି । ଜନସମାଗମକୁ ବାରଣ କରାଯାଇଥିବା ବେଳେ ମନ୍ଦିର ଗୁଡିକରେ କୋଭିଡ ନିୟମ ପାଳନ କରି ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପୋଲିସର ସୁରକ୍ଷା କର୍ମୀମାନେ ମୁତୟନ ହୋଇଛନ୍ତି ।
ସାନିଟାଇଜ ହେଉନି ସୁବର୍ଣ୍ଣପୁରର ମନ୍ଦିର - ଦେବୋତ୍ତର ବିଭାଗ
ସୁବର୍ଣ୍ଣପୁର ଜିଲ୍ଲାର ଶୈବପୀଠ ଗୁଡିକୁ ସଦର ପୌର ପରିଷଦ ଓ ସଦର ଅଗ୍ନିଶମ ବିଭାଗ ସାନିଟାଇଜ କରୁନଥିବା ଅଭିଯୋଗ ଆଣିଲା ଦେବୋତ୍ତର ବିଭାଗ । ଅଧିକ ପଢନ୍ତୁ...
ତେବେ ଦେବୋତ୍ତର ବିଭାଗର ନିର୍ଦ୍ଦେଶ ଶ୍ରଦ୍ଧାଳୁମାନେ ପାଳନ କରୁଥିବା ବେଳେ ସଦର ପୌର ପରିଷଦ ଓ ସଦର ଅଗ୍ନିଶମ ବିଭାଗ କିନ୍ତୁ ଦେବୋତ୍ତର ବିଭାଗର ନିର୍ଦ୍ଦେଶକୁ ଅବମାନନା କରୁଥିବା ଅଭିଯୋଗ ହୋଇଛି । ଦେବୋତ୍ତର କମିଟିରେ ପ୍ରତ୍ୟେକ ସପ୍ତାହର ବୁଧବାର ଦିନ ମନ୍ଦିର ବନ୍ଦ ରହିବ ଓ ସେହି ଦିନ ମନ୍ଦିରଗୁଡିକ ସାନିଟାଇଜ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ମନ୍ଦିର ଗୁଡିକ ନିର୍ଦ୍ଧାରିତ ଦିନରେ ବନ୍ଦ ରହୁଥିବା ବେଳେ ସାନିଟାଇଜ କରାଯାଉ ନଥିବା ଅଭିଯୋଗ ହେଉଛି । ତେବେ ଏହି ମହାମାରୀ ସମୟରେ ପ୍ରତ୍ୟେକ ବୁଧବାର ମନ୍ଦିରଗୁଡିକୁ ସାନିଟାଇଜ କରିବା ପାଇଁ ଦେବୋତ୍ତର କମିଟି ସଭ୍ୟ ଶ୍ରୀବତ୍ସ ମଲ୍ଲିକ ଜିଲ୍ଲା ପ୍ରଶାସନ ନିକଟରେ ଦାବିକୁ ଦୋହରାଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ