ସୁବର୍ଣ୍ଣପୁର:ଅବହେଳିତ ଅବସ୍ଥାରେ ସୁବର୍ଣ୍ଣପୁର ସହରର ମନ୍ଦିର । ସହରରେ ଅଷ୍ଟଚଣ୍ଡୀ ,ଅଷ୍ଟବିଷ୍ଣୁ , ଅଷ୍ଟ ଶମ୍ଭୁଙ୍କ ସମେତ ରହିଛି ଅଷ୍ଟୋତ୍ତର 108 ମନ୍ଦିର । ସହରରେ ବହୁ ପ୍ରାଚୀନ ମନ୍ଦିର ରହିଥିବାବେଳେ ମନ୍ଦିର ଗୁଡିକର ପରିଚାଳନା ପାଇଁ ଦେବୋତ୍ତର ବିଭାଗର ବ୍ୟାପକ ପରିମାଣର ଭୂସଂପତ୍ତି ରହିଛି । ସୋନପୁର ଗଡଜାତରେ ଚୌହାନ ରାଜାମାନଙ୍କ ଶାସନ ଅମଳରୁ ଦେବଦେବୀଙ୍କ ଅନ୍ନ ଭୋଗ, ପର୍ବପର୍ବାଣୀ, ମନ୍ଦିର ପରିଚାଳନା ଓ ଯାନିଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାୟ 36 ପ୍ରକାରର ବିଭିନ୍ନ ସଂପ୍ରଦାୟର ସେବାୟତଙ୍କୁ ପୂଜା ବିଧି ଓ ପର୍ବ ପର୍ବାଣୀ କାର୍ଯ୍ୟ ତୁଲାଇବାକୁ ନିଯୁକ୍ତି ଦିଆଯାଇଛି ।
ଦେବାଦେବୀଙ୍କ ନାଁରେ ବ୍ୟାପକ ଭୂସଂପତ୍ତି ଥିବା ସହିତ ପୂଜା ସେବା କରୁଥିବା ପର୍ଯ୍ୟନ୍ତ ସେବାୟତମାନେ ଭୋଗ ଦଖଲ କରିବେ ବୋଲି ରାଜୁଡା ଅମଳର ପଟ୍ଟା ତଥା ଦଲିଲଗୁଡିକରେ ସ୍ପଷ୍ଟ ଉଲ୍ଲେଖ ରହିଛି । ହେଲେ ଦେବୋତ୍ତର ବିଭାଗ ମନ୍ଦିର ଗୁଡିକର ପରିଚାଳନା କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳୁଛି । ମନ୍ଦିରଗୁଡିକର ରକ୍ଷଣା ବେକ୍ଷଣ କରିବା ସହିତ ଭୋଗ ଖଞ୍ଜା ଓ ସେବାୟତମାନଙ୍କ ଦକ୍ଷିଣା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । ବର୍ଷର ପ୍ରାୟ ସବୁ ସମୟରେ ସହରର ଏହି ପ୍ରାଚୀନ ପୀଠଗୁଡିକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ବିଶେଷକରି ପୁଣ୍ୟ ମାସ ଗୁଡିକରେ ମନ୍ଦିର ପରିସରଗୁଡିକ ଜନ ସମୁଦ୍ରରେ ପରିଣତ ହେଉଛି । ହେଲେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ବିଶ୍ରାମ ପାଇଁ ଅର୍ଥ ଅଭାବରୁ କୌଣସି ବ୍ୟବସ୍ଥା କରାଯାଇ ପାରୁନାହିଁ ।