ସୁବର୍ଣ୍ଣପୁର: ପୁଣି ଦୋହରିଲା ନୂତନ ରେଳ ପ୍ରକଳ୍ପ ଦାବି । ସୋମବାର ଖୋର୍ଦ୍ଧା-ବଲାଙ୍ଗିର ରେଲୱେ କ୍ରିୟାନୁଷ୍ଠାନ କମିଟି ନିଜ ଦାବି ପୁଣି ଦୋହରାଇଛି । ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀରର ରେଲୱେ ଲାଇନ(Khurda road Balangir railway line project) ତୁରନ୍ତ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି କମିଟି । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ପଶ୍ଚିମ ଓଡିଶାର ତିନୋଟି ଜିଲ୍ଲା ସହିତ ପୂର୍ବ ଓଡିଶାକୁ ଯୋଡିବା ଓ ରେଳ ପ୍ରକଳ୍ପ ହେଲେ ପଶ୍ଚିମ ଓଡିଶାର ପଛୁଆ ଜିଲ୍ଲା ଗୁଡିକର ଅର୍ଥନୈତିକ ବିକାଶକୁ ଆଖି ଆଗରେ ରଖି ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ 2001 ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବିଳମ୍ବ, ଏକାଠି ହେଲେ 3 ଜିଲ୍ଲା
ମାତ୍ର 100 କୋଟି ବ୍ୟୟ ରଖାଯାଇଥିବା ଏହି ପ୍ରକଳ୍ପ ଏବେ ହଜାର ହଜାର କୋଟିରେ ପହଞ୍ଚି ସାରିଲାଣି । ଅଥଚ ସଂପୂର୍ଣ୍ଣ ରେଳଲାଇନର 50 ପ୍ରତିଶତ କାର୍ଯ୍ୟ ବି ଶେଷ କରାଯାଇ ପାରିନାହିଁ । ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ରାଜନୈତିକ ଉଦାସୀନତା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହୋଇଛି । ସେହିପରି ସମ୍ବଲପୁର-ଗୋପାଳପୁର ନୂତନ ରେଳ ଲାଇନ ରେଢ଼ାଖୋଲ ଦେଇ ନିର୍ମାଣ ନକରି ସୁବର୍ଣ୍ଣପୁର ସହର ଦେଇ ନିର୍ମାଣ କରିବା ପାଇଁ ଦାବି କରାଯାଇଛି ।