ଓଡିଶା

odisha

ETV Bharat / state

ଲଙ୍କାପୋଡି ଉତ୍ସବ ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର

ଆଗକୁ ଆସୁଛି ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା । ଏନେଇ ସହରରେ ପାଳିତ ହେବ ଐତିହାସିକ ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡି ପର୍ବ । ଏହି ବିଶ୍ବ ପ୍ରସିଦ୍ଧ ପର୍ବକୁ ନେଇ ସହରବାସୀ ଉତ୍ସାହିତ ଥିବା ବେଳେ କୁମ୍ଭାର କାରିଗରମାନେ ଲାଗି ପଡିଛନ୍ତି ଖେଳ ସାମଗ୍ରୀ ତିଆରି କରିବାରେ ।

By

Published : Aug 24, 2019, 10:40 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଆଗକୁ ଆସୁଛି ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା । ଏନେଇ ସହରରେ ପାଳିତ ହେବ ଐତିହାସିକ ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡି ପର୍ବ । ଦିନ ବେଳା କାଠରେ ନିର୍ମିତ ହାତୀ ଘୋଡା ତ ସନ୍ଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନଙ୍କୁ ନେଇ ଚଳଚଞ୍ଚଳ ହେବ ଏହି ପର୍ବ । ଏହି ବିଶ୍ବପ୍ରସିଦ୍ଧ ପର୍ବକୁ ନେଇ ସହରବାସୀ ଉତ୍ସାହିତ ଥିବା ବେଳେ କୁମ୍ଭାର କାରିଗରମାନେ ଲାଗି ପଡିଛନ୍ତି ଖେଳ ସାମଗ୍ରୀ ତିଆରିରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପଶ୍ଚିମ ଲଙ୍କା ବୋଲି କୁହାଯାଉଥିବା ସୁବର୍ଣ୍ଣପୁରରେ ପ୍ରତିବର୍ଷ ପାଳିତ ହୁଏ ଏହି ପର୍ବ । ସାରା ବିଶ୍ବରେ କେବଳ ଏହି ସହରରେ ହିଁ ରାମାୟଣ ବର୍ଣ୍ଣିତ ହନୁମାନଙ୍କର ଲଙ୍କାପୋଡି ଉତ୍ସବ ପାଳନ କରାଯାଏ । ମଧ୍ୟାହ୍ନରେ କାଠ ତିଆରି ହାତୀ ଘୋଡା ଆଦିକୁ ନେଇ ପୁଅମାନେ ଖେଳ ଖେଳନ୍ତି । ଅନ୍ୟପଟେ କୁନି କୁନି ଝିଅମାନେ ମାଟି ତିଆରି କାଣ୍ଢିକୁଞ୍ଚିକୁ ନେଇ ଖେଳ ଖେଳିଥାନ୍ତି । ଆଉ ସନ୍ଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନଙ୍କର ଲାଞ୍ଜରେ ନିଆଁ ଲଗାଇ ଆରମ୍ଭ ହୁଏ ଉତ୍ସବ ପାଳନ ।

ସାଧାରଣ ହନୁମାନଙ୍କଠାରୁ କିଛିଟା ଅଲଗା ଭାବେ ହାତରେ ତିଆରି ହୁଏ ମାଟିର ଟେରାକୋଟା ହନୁମାନ । ଯାହା ଏହି ପର୍ବର ମୁଖ୍ୟ ଆକର୍ଷଣ । ଏହି ପର୍ବରେ କୁନି ପୁଅ ଓ ଝିଅମାନଙ୍କ ପାଇଁ ଅଭିଭାବକମାନେ ନିଜକୁ ପ୍ରସ୍ତୁତ କରି ସାରିଛନ୍ତି । ଏହି ପର୍ବରେ ବ୍ୟବହାର ହେଉଥିବା କାଠ ଓ ମାଟି ତିଆରି ଖେଳ ସାମଗ୍ରୀ ବିକ୍ରିବଟାକୁ ନେଇ ବି ବେଶ ଖୁସି ଅଛନ୍ତି କାରିଗର ।

ବିଶ୍ବ ପ୍ରସିଦ୍ଧ ଏହି ଉତ୍ସବକୁ ଆଖିରେ ରଖି ବହୁ ପରିମାଣରେ କାରିଗରମାନେ ଖେଳ ସାମଗ୍ରୀ ତିଆରି କରିଛନ୍ତି । ଏହି ପର୍ବର ମୁଖ୍ୟ ଆକର୍ଷଣ ଲଙ୍କାପୋଡି ଉପଭୋଗ କରିବାକୁ ସନ୍ଧ୍ୟାରେ ଦେଖଣାହାରୀଙ୍କ ସଂଖ୍ୟା ବି ବଢିବାର ଆଶା କରାଯାଉଛି । ସାରା ପଶ୍ଚିମ ଓଡିଶାରେ ଏହି ପୁରା ଉଆଁସ ପର୍ବ ପାଳନ କରାଯାଏ । ହେଲେ ଏହି ଅମାବାସ୍ୟାର ଅନ୍ଧକାର ଭିତରେ ହନୁମାନଙ୍କର ଲଙ୍କାପୋଡି ସ୍ମୃତିକୁ ମନେ ପକାଇବା ପାଇଁ କାହିଁ କେଉଁ କାଳରୁ ସୁବର୍ଣ୍ଣପୁର ସହରରେ ହିଁ ପାଳିତ ହୋଇ ଆସୁଛି ଲଙ୍କାପୋଡି ପର୍ବ ।

ତେବେ ବୀରତ୍ବର ପ୍ରତୀକ ହନୁମାନଙ୍କର ସ୍ମୃତିର ଏହି ପର୍ବ ବାସ୍ତବରେ ବେଶ୍‌ ନିଆରା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details