ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲାରେ କୃଷି ଓ କୃଷକର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଅବା ରାଜ୍ୟ ସରକାର ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି । ବିଶେଷକରି ଚିର ମରୁଡି ପ୍ରପୀଡିତ ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା କରାଯାଇ ପାରୁନାହିଁ । ଜିଲ୍ଲାର ଡୁଙ୍ଗୁରିପାଲି ଓ ବିନିକା ବ୍ଳକର ଅଧିକାଂଶ ଚାଷଜମି ହୀରାକୁଦ ଜଳଭଣ୍ଡାରର ଆୟକଟ ଅଞ୍ଚଳ ଭିତରେ ରହିଛି । ବିନିକା ବ୍ଳକର ତଳିମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ । ସେହିପରି ରାମପୁର ମାଇନର କେନାଲ ତଳିମୁଣ୍ଡରେ ଥିବା ଅରିଗାଁ, ସିନ୍ଦୁରପୁର, ମଣିଗାଁ ଆଦି ଗ୍ରାମଗୁଡିକର ଚାଷଜମିକୁ ପାଣି ମାଡି ପାରୁନାହିଁ । ଏହାକୁ ବାଦ୍ ଦେଲେ ବୀରମହାରାଜପୁର ବ୍ଳକର କିଛି ଚାଷଜମି ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଆୟକଟ ଏରିଆ ଭିତରେ ରହିଛି । ହେଲେ ଏଠାରେ ବି କେନାଲର ତଳି ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ବାକି ତିନୋଟି ବ୍ଳକ ତରଭା, ସଦର ସୋନପୁର ଓ ଉଲୁଣ୍ଡା ବ୍ଳକର ଚାଷୀମାନଙ୍କ ପାଇଁ ସେତେଟା ଜଳସେଚନର ବ୍ୟବସ୍ଥା କରାଯାଇ ପାରିନାହିଁ । ସଦର ସୋନପୁର ବ୍ଳକର ମୟୁରଉଡାନ, ବିଶିମୁଣ୍ଡା ଆଦି ଗ୍ରାମ ପଞ୍ଚାୟତର କିଛି ଗାଁକୁ ଅଂଗ ଜଳସେଚନ ପ୍ରକଳ୍ପର କେନାଲ ଆସିଛି । ହେଲେ ଏହି ଅଞ୍ଚଳରେ ରବି ଚାଷ ତ ସ୍ବପ୍ନ ହୋଇଛି, ଖରିଫ ଚାଷକୁ ମରୁଡିରୁ ରକ୍ଷା କରିବାକୁ କେନାଲରେ ଆବଶ୍ୟକ ପାଣି ଆସୁନଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ୬ଟି ବ୍ଳକ ଭିତରୁ ଦୁଇଟି ବ୍ଳକର ଅଧିକାଂଶ ଚାଷଜମିକୁ ପାଣି ମାଡୁଥିବା ବେଳେ ଚାରୋଟି ବ୍ଳକର ଅନେକ ଚାଷଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇ ପାରିନାହିଁ । ଗଭୀର ନଳକୂଅ ଅବା ଅନ୍ୟାନ୍ୟ ଜଳଉତ୍ସରୁ ଚାଷୀମାନେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ କିଛି ଚାଷ କରୁଥିବା ଦେଖିବାକୁ ମିଳୁଛି ।