ସୁବର୍ଣ୍ଣପୁର: ଜିଲ୍ଲାରେ ଖରିଫ ଋତୁ ଧାନ ଚାଷ ଏଥର ବେଶ ବିଳମ୍ବ ହୋଇଛି । ସାରର ଅଭାବ ଯୋଗୁଁ ଚାଷୀ ମାନେ ବେଶ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚାଷ କାର୍ଯ୍ୟପାଇଁ ଜମିରେ ପାଣି ଅଭାବରୁ ଚାଷୀ ମାନେ ଏଥର ଭଲ ଅମଳ ଆଶା ରଖିନଥିଲେ । ପରେ ରାଜ୍ୟକୁ ମୌସୁମୀ ଆଗମନରେ ସ୍ବଳ୍ପ ପରିମାଣରେ ବର୍ଷା ହେବାରୁ ଚାଷୀ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା । ମାତ୍ର ଚାଷ ପାଇଁ ଆବଶ୍ୟକ ପରିମାଣରେ ଚାଷୀ ସାର ପାଇ ନ ଥିବାରୁ ବିନା ସାରରେ ବି ଚାଷୀ ତଳି ପକା ଓ ବିହୁଡା କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି ।
ଚାଷ ପାଇଁ ସାର କିଣିବାକୁ ହେଲେ ଚଢା ଦରରେ କିଣିବାକୁ ପଡୁଛି ବୋଲି ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି । ସରକାର ୟୁରିଆ ସାରକୁ ଚାଷୀଙ୍କ ପାଇଁ ଯେତିକି ଦର ଧାର୍ଯ୍ୟ କରିଥିଲେ ତାଠୁ ଅଧିକ ଦରରେ କିଣିବାକୁ ପଡୁଛି ବୋଲି ଚାଷୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ହେଲେ ଖରିଫ ଋତୁରେ ଡେରିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବାରୁ ଚାଷୀ ବାଧ୍ୟ ହୋଇ ଚଢା ଦରରେ ବଜାରରୁ ୟୁରିଆ ସାର କିଣି ଚାଷ ଜମିରେ ବ୍ୟବହାର କରିଛି ।