ଓଡିଶା

odisha

ETV Bharat / state

ଅଖିମୁଠି ଅନୁକୂଳ କରି କୃଷିକାର୍ଯ୍ୟ ଆରମ୍ଭ କଲେ ସୁବର୍ଣ୍ଣପୁର ଚାଷୀ - ଅକ୍ଷୟ ତୃତୀୟା

ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଅଖିମୁଠି ଅନୁକୂଳ କରାଯାଇ ଚାଷକାର୍ଯ୍ୟ ଆରମ୍ଭ । ଅଧିକ ପଢନ୍ତୁ

ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟ ଆରମ୍ଭ କଲେ ସୁବର୍ଣ୍ଣପୁର ଚାଷୀ
ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟ ଆରମ୍ଭ କଲେ ସୁବର୍ଣ୍ଣପୁର ଚାଷୀ

By

Published : Apr 23, 2023, 11:08 AM IST

ଅଖିମୁଠି ଅନୁକୂଳ

ସୁବର୍ଣ୍ଣପୁର: ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛି ସୁବର୍ଣ୍ଣପୁର ଚାଷୀ । ମାଟି ମା' ଓ ଦେବୀ ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରି ଜମିରେ ହଳ କରି ବୀଜ ବୁଣିଛି । ପ୍ରାର୍ଥନା କରିଛି ଚଳିତ ବର୍ଷ ଦେବରାଜ ଇନ୍ଦ୍ର କୃପା କରିବେ । ଭଲ ବର୍ଷା ହେବ । ଧରଣୀ ରାଣୀ ଶସ୍ୟ ଶ୍ୟାମଳାରେ ହସି ଉଠିବ । ଚାଷୀର ଭଣ୍ଡାର ଘର ପୂରି ଉଠିବ । ବର୍ଷ ତମାମ ଲୁଣ ଅନ୍ନର ଅଭାବ ରହିବ ନାହିଁ । ଚାଷୀ ଆଜି ଦେବାଦେବୀଙ୍କୁ ସ୍ମରଣ କରି ଚଳିତ ଖରିଫ ଋତୁ ଚାଷ କାର୍ଯ୍ୟ ଆରମ୍ଭ କରିଛି । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ବଡଝିଙ୍କି ଗାଁରେ ଚାଷୀମାନେ ବେଶ ଉତ୍ସାହର ସହିତ ଏକତ୍ରିତ ହୋଇ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଆଜି ଠାରୁ ଚଳିତ ବର୍ଷ ଚାଷ କାର୍ଯ୍ୟ ପାଇଁ ଚାଷୀ ଶ୍ରମଦାନ ଆରମ୍ଭ କରିଛି । ଦେବରାଜ ଇନ୍ଦ୍ର, ମାଟି ମା' ଓ ଲକ୍ଷ୍ମୀଙ୍କୁ ସ୍ମରଣ କରି ବେଶ ଉତ୍ସାହ ଉଦ୍ଦୀପନାର ସହିତ ଚାଷ କାର୍ଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରିଛି । ଦେବଦେବୀଙ୍କୁ ଶସ୍ୟ ଅର୍ପଣ ପରେ ହଳ କରାଯାଇ ଧାନ ବୁଣା ଯାଇଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ଅଖିମୁଠି ଅନୁକୂଳ ସହ ଚାଷ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଆଜିଠୁ ଚାଷୀମାନେ ଅଦିନିଆ ବର୍ଷାରେ ହଳ କରିବେ । ଧୁ ଧୁ ଟାଣ ଖରାରେ ଖର୍ଡି ବୁଣା ଆରମ୍ଭ କରିବେ । ପହିଲି ଆଷାଢରେ ଧାନଗଛ ଉଠିବା ଆରମ୍ଭ କରିବ । ପୁଅ ଝିଅଙ୍କୁ ଯତ୍ନ ନେବା ପରି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ଜମିରେ ସୁନାର ଫସଲ ଫଳାଇବାକୁ ଲାଗି ପଡିବ ।

ତେବେ ଚାଷୀମାନେ ଚଳିତ ଖରିଫ ଋତୁରେ ବିହନ, ରାସାୟନିକ ସାର, କୀଟନାଶକ ଔଷଧ, ଜଳସେଚନ ଆଦି ପାଇଁ ପ୍ରଶାସନିକ ସହଯୋଗ ଆଶା କରଛି । ସେହିପରି କୃଷି ଯନ୍ତ୍ରପାତିରେ ରିହାତି ପ୍ରଦାନ ତଥା ଉତ୍ପାଦିତ ଶସ୍ୟର ବିକ୍ରିବଟାରେ ପ୍ରଶାସନିକ କୃଷି ସହାୟତା ଯୋଗାଇ ଦେବାକୁ ଚାଷୀ ଦାବି କରିଛି । ସୁବର୍ଣ୍ଣପୁର ଜିଲ୍ଲାରେ ଏତେ ପରିମାଣରେ ଧାନ ଉତ୍ପାଦନ ହୁଏ ଯେ ଏହାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ । ଉତ୍କୃଷ୍ଟ ଚାଷ ଓ ଉତ୍ପାଦିକା ଶକ୍ତିରେ ସାରା ରାଜ୍ୟରେ ସୁବର୍ଣ୍ଣପୁର ନାଁ ରଖିଥିବା ବେଳେ ଏହି ସମ୍ମାନକୁ ବଜାୟ ରଖିବା ପାଇଁ ଚାଷୀ ପ୍ରଶାସନିକ କୃଷି ସହାୟତା ଆଶା କରିଛି ।

ସୂଚନାଥାଉ କି, ବୈଶାଖ ମାସ ଶୁକ୍ଲ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଏ । କୃଷକମାନେ ଖୁବ୍ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି । ଏହି ଦିନ ଅଖିମୁଠି ଅନୁକୂଳ ହୋଇ ଚାଷୀ କୃଷିକାର୍ଯ୍ୟ ଆରମ୍ଭ କରିଥାଏ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details