ଓଡିଶା

odisha

ETV Bharat / state

ଅବହେଳିତ ପ୍ରେମର ସ୍ମାରକୀ ଶସିସେଣା ମନ୍ଦିର - ମନ୍ଦିର ମାଳିନୀ ସୋନପୁର ଗଡଜାତ ସହର

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ସହରରେ ଥିବା ଶଶୀସେଣା ମନ୍ଦିର ଅବହେଳିତ ଅବସ୍ଥାରେ ପଡିରହିଛି । ଅଧିକ ପଢନ୍ତୁ

subarnapur famous sashisena temple
subarnapur famous sashisena temple

By

Published : Apr 26, 2023, 6:49 PM IST

subarnapur famous sashisena temple

ସୁବର୍ଣ୍ଣପୁର :ମନ୍ଦିର ମାଳିନୀ ସୋନପୁର ଗଡଜାତ ସହର । ଅଷ୍ଟ ଚଣ୍ଡୀ, ଅଷ୍ଟ ଵିଷ୍ଣୁ ଓ ଅଷ୍ଟ ଶମ୍ଭୁଙ୍କ ସମେତ ସହରରେ ରହିଛି 108ରୁ ଅଧିକ ମନ୍ଦିର । ଏଭଳି ଏକ ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ରହିଛି ସହରର କଚେରୀ ଛକ ନିକଟସ୍ଥ କ୍ଷୁଦ୍ର ଜଳସେଚନ ବିଭାଗ ପରିସରରେ। ଏହି ମନ୍ଦିର ହେଉଛି ସୋନପୁରର ତନ୍ତ୍ର ସାଧନାର ମୁକ ସାଖୀ । ନିଜ ପ୍ରେମିକ ଅହିମାଣିକ୍ୟଙ୍କୁ ପାଇବା ପାଇଁ ରାଜକନ୍ୟା ଶଶୀସେଣାଙ୍କ ତ୍ୟାଗର ସତୀତ୍ୱ ବହନ କରିବା ସହ ଜ୍ଞାନଦେଈ ମାଲୁଣୀଙ୍କ ତନ୍ତ୍ର ସାଧାନାସମ୍ପର୍କରେ ମଧ୍ୟ ଏହି ମନ୍ଦିର ସୂଚିତ କରିଥାଏ । ମନ୍ଦିରରେ କୌଣସି ଦିଅଁ ପୂଜା ପାଉନାହାନ୍ତି ସତ କିନ୍ତୁ ଐତିହାସିକ, ତାନ୍ତ୍ରିକ ଏବଂ ସାଂସ୍କୃତିିକ ଦୃଷ୍ଟି କୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ । ତେବେ ମନ୍ଦିର ଭିତରକୁ ଯିବା ପାଇଁ କୌଣସି ରାସ୍ତା ନାହିଁ ତେଣୁ ଏହାକୁ ନିମୁହିଁ ମନ୍ଦିର ମଧ୍ୟ କୁହାଯାଏ । ସୋନପୁରର ଏକ ପ୍ରମୁଖ ସ୍ଥାନରେ ଶଶୀସେଣା ମନ୍ଦିର ଥିଲେ ମଧ୍ୟ ଏହା ଅବହେଳିତ ଅବସ୍ଥାରେ ପଡ଼ି ରହିଛି ।

ପ୍ରେମର ଅମର ସ୍ମୃତିରେ ଗଢି ଉଠିଛି ନିମୁହିଁ ଦେଉଳ ପରି ପ୍ରେମର ସୌଧ । ଯେଉଁ ପ୍ରେମର ସ୍ମାରକୀ ସହରର ନିମୁହିଁ ଦେଉଳ । ଶବର ରାଜକୁମାର ଅହିମାଣିକ୍ୟ ଓ ଅମରାବତୀ ରାଜକୁମାରୀ ଶଶୀସେଣାଙ୍କ ଅମର ପ୍ରେମକୁ ନେଇ ରହିଛି ଏଇ ସ୍ବର୍ଣ୍ଣିମ ସ୍ମାରକୀ । ଯାହା ବିଶ୍ବବାସୀଙ୍କୁ ସବୁ ସମୟରେ ଦେଇ ପାରିଛି ପ୍ରେମ ପ୍ରଣୟର ବାର୍ତ୍ତା । ଶବର ରାଜକୁମାର ଅହିମାଣିକ୍ୟ ଓ ଅମରାବତୀର ରାଜା ବିକ୍ରମ କେଶରୀଙ୍କ କନ୍ୟା ରାଜକୁମାରୀ ଶଶୀସେଣାଙ୍କ ମଧ୍ୟରେ ଥିଲା ଅନାବିଳ ପ୍ରେମର ସମ୍ପର୍କ । କିନ୍ତୁ ଉଭୟଙ୍କ ମଧ୍ୟରେ ତନ୍ତ୍ର ସାଧିକା ଜ୍ଞାନଦେଇ ସାଜିଥିଲେ ବାଧକ । ଶବର ରାଜକୁମାର ଅହିମାଣିକ୍ୟର ରୂପ ଯୌବନରେ ପାଗଳ ହୋଇଥିଲେ ଜ୍ଞାନଦେଇ ମାଲୁଣୀ । ନିଜ କାମବାସନାକୁ ଚରିତାର୍ଥ କରିବା ପାଇଁ ରାଜକୁମାର ଅହିମାଣିକ୍ୟଙ୍କ ଉପରେ କରୁଥିଲା ତନ୍ତ୍ରର ପ୍ରୟୋଗ । ତନ୍ତ୍ର ପ୍ରୟୋଗ ବଳରେ ଜ୍ଞାନଦେଇ ଦିନରେ ମେଣ୍ଢା ଓ ରାତିରେ ଭେଣ୍ଡା କରି ନିଜ କାମବାସନାକୁ ଚରିତାର୍ଥ କରୁଥିଲା । ହେଲେ ରାଜକୁମାରୀ ଶଶୀସେଣା ନିଜ ପ୍ରେମିକ ଅହିମାଣିକ୍ୟକୁ ଉଦ୍ଧାର କରିବା ପାଇଁ ମା ଭଗବତୀଙ୍କୁ ପ୍ରାର୍ଥନା କରିଥିଲେ । ତାନ୍ତ୍ରିକ ଜ୍ଞାନଦେଇଙ୍କ କବଳରୁ ମୁକ୍ତି କରିଥିଲେ ନିଜ ପ୍ରେମିକ ରାଜକୁମାର ଅହିମାଣିକ୍ୟଙ୍କୁ ।

ଦେବୀ ମାଆ ଭଗବତୀଙ୍କ କରୁଣାରୁ ସେଦିନ ରାଜକୁମାରୀ ଶଶୀସେଣା ଓ ରାଜକୁମାର ଅହିମାଣିକ୍ୟ ଭିତରେ ଥିବା ଶାଶ୍ବତ ପ୍ରେମର ବିଜୟ ହୋଇଥିଲା । ସେଦିନ ରାଜଦଣ୍ଡ ଭୟରେ ଅମରାବତୀରୁ କାମାନ୍ତପୁର ଏବେକାର ସୁବର୍ଣ୍ଣପୁରକୁ ପଳେଇ ଆସିଥିଲେ ରାଜକୁମାର ଓ ରାଜକୁମାରୀ । ଏହାପରେ ସେଠାରେ ପ୍ରେମର ସ୍ମାରକୀ ଭାବେ ତିଆରି ହୋଇଛି ଶଶୀସେଣା ମନ୍ଦିର । ଅନାବିଳ ପ୍ରେମର ସ୍ମୃତି ମନ୍ଦିର ଗାତ୍ରରେ ବହନ କରିଥିବା ଏହି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରଟି ଏବେ ଅବହେଳିତ । ଏହି ମନ୍ଦିରକୁ ଦେଖିଲେ ରାଜକୁମାର ଅହିମାଣିକ୍ୟ ଓ ରାଜକୁମାରୀ ଶଶୀସେଣାଙ୍କ ଭିତରେ ଥିବା ଅନାବିଳ ଓ ଶାଶ୍ବତ ପ୍ରେମ ମନେ ପଡେ।

ହେଲେ ଖୋଦ୍‌ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବେଳେ କିଭଳି ଏହି ମନ୍ଦିର ପ୍ରତି କାହାରି ଦୃଷ୍ଟି ପଡୁନାହିଁ ବୋଲି ଜନ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି । ମନ୍ଦିରର ବିଭିନ୍ନ ସ୍ଥାନରେ ରଙ୍ଗ ଛାଡି ଯାଇଥିବା ବେଳେ କାନ୍ଥରେ ଶିଉଳି ଲାଗି କଳା ହୋଇ ଗଲାଣି । ମନ୍ଦିର ପରିସର ଶୁଖଲା ପତ୍ରରେ ଭର୍ତ୍ତି । ଏହି ମନ୍ଦିରରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ଉପାଦାନ ଭରି ରହିଥିଲେ ମଧ୍ୟ ଏହି ମନ୍ଦିରର ଉନ୍ନତିକରଣ ପାଇଁ ଦୃଷ୍ଟି ଦିଆଯାଉ ନାହିଁ । ତେବେ ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ରକ୍ଷଣାବେକ୍ଷଣ ସହ ଶଶୀସେଣା ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବା ପାଇଁ ଦାବି ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା ରହିଛି ।

ଇଟିଭି ଭାରତ,ସୁବର୍ଣ୍ଣପୁର

ABOUT THE AUTHOR

...view details