ସୁବର୍ଣ୍ଣପୁର:ନୂଆଁଖାଇ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲା । କାହିଁ କେଉଁ କାଳରୁ ଜିଲ୍ଲାକୁ ଅଷ୍ଟଚଣ୍ଡୀଙ୍କ ସହର ବୋଲି କୁହାଯାଏ । ତେବେ ଗଡଜାତରେ ଚୌହାନ ଶାସନ ଅମଳରୁ ଦେବୀମାନଙ୍କୁ ନେଇ ପ୍ରତିଟି ପର୍ବପର୍ବାଣୀ ପାଳନ କରାଯାଏ । ସେହିପରି ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ନାଁରେ ନୂଆଖାଇ ଲଗ୍ନ ନିର୍ଣ୍ଣୟ କରାଯାଉଥିବା ବେଳେ ଦେବୀ ମାନଙ୍କୁ ସ୍ବତନ୍ତ୍ର ପୂଜା ଆରାଧନା ମଧ୍ୟ କରାଯାଏ ।
ସେପଟେ ନୂଆଁଖାଇ ପର୍ବ ପାଳନ ପାଇଁ ଦେବୀ ସୁରେଶ୍ବରୀଙ୍କ ପରେ ସମଲେଇ, ଖମ୍ବେଶ୍ବରୀ, ନାରାୟଣୀ, ଦଶମତି, ବୁଢି ସମଲେଇ, ଭଗବତୀ ଆଦି ଦେବୀଙ୍କ ପାଖରେ ବି ସ୍ବତନ୍ତ୍ର ପୂଜା ଆରାଧନା କରାଯାଏ । ଏଥିରେ ମନ୍ଦିରର ବାନାଠାରୁ ଆରମ୍ଭ କରି ଦେବୀଙ୍କ ବସ୍ତ୍ର ଯାଏଁ ସବୁକିଛି ନୂଆ ଜିନିଷ ବ୍ୟବହାର କରାଯାଏ । ସେହିପରି ମନ୍ଦିରଗୁଡିକରେ ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ ସବୁ ନୂଆ ଭାବେ କରାଯାଇଥାଏ ।
ଏହି ନୂଆଁଖାଇ ପାଳନ ପାଇଁ ପଣ୍ଡିତ ମାନଙ୍କ ଦ୍ବାରା ମହାସଭା ବସି ସ୍ଥିର କରାଯାଇଥିବା ନବାନ୍ନ ଲଗ୍ନରେ ଦେବୀ ମା ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ମା ସୁରେଶ୍ବରୀ ଓ ଅନ୍ୟାନ୍ୟ ଦେବୀପୀଠଙ୍କ ଠାରେ ପାହୁର ପହଞ୍ଚିବା ପରେ ତାହା ପ୍ରସ୍ତୁତ କରି ନୈବେଦ୍ୟ ଅର୍ପଣ କରାଯାଏ ।