subarnapur collector office gherao ସୁବର୍ଣ୍ଣପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ତୀବ୍ର ହେଉଛି ରାଜନୀତି । ଅନେକ ସ୍ଥାନରେ ଏହାକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି(ଗୁରୁବାର) ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ କଂଗ୍ରେସକର୍ମୀମାନେ ଧାରଣାରେ ବସିଛନ୍ତି ।
ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ କମିଟିର ସଭ୍ୟମାନେ ଧାରଣାରେ ବସିଛନ୍ତି । ଜାତୀୟ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଅମାନବୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ କରି ଏହି ଆନ୍ଦୋଳନ କରାଯାଇଛି । କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ବେଆଇନ କାର୍ଯ୍ୟ କରୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ପଦଚ୍ୟୁତ କରିବା ଓ ଏକଛତ୍ରବାଦ ଶାସନ କରୁଥିବା ଅଭିଯୋଗ କରିଛନ୍ତି । ଏପରିକି କୋର୍ଟ ଆଦେଶ ସଂସଦର ଲୋକସଭା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପହଞ୍ଚିବା ପୂର୍ବରୁ ରାହୁଲଗାନ୍ଧୀଙ୍କୁ ସାଂସଦ ପଦରୁ ପଦଚ୍ୟୁତ କରି କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସାଂସଦ ବାସଭବନରୁ ବେଦଖଲ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ଅତ୍ୟଧିକ ଉତ୍ତପ୍ତ ସହର ମଧ୍ୟରେ ଜିଲ୍ଲାର ବାରିପଦା ସହର
ଏନେଇ ପୂର୍ବତନ ବିଧାୟକ ବିନୋଦ ପାତ୍ର କହିଛନ୍ତି, "କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଅଗଣତାନ୍ତ୍ରିକ ଶାସନ ଚଳାଇଥିବା ବେଳେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଦେଶର ବିଭିନ୍ନ ଅନୁସନ୍ଧାନକାରୀ ସଂସ୍ଥା, କୋର୍ଟ କଚେରୀ ଆଦିକୁ ସ୍ବତନ୍ତ୍ରତା ପ୍ରଦାନ ନକରି ସରକାର ନିଜ ଅଧିନରେ ରଖି ଦେଶରେ ଶାସନ କରୁଛନ୍ତି ।" ତେବେ ଜିଲ୍ଲା କଂଗ୍ରେସର କର୍ମୀମାନେ ଗାଁ ଗାଁ ବୁଲି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରିବ ବୋଲି କଂଗ୍ରେସ କହିଛି । କଂଗ୍ରେସକର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରିଛନ୍ତି । ମୋଦି ସରକାରକୁ ବରଖାସ୍ତ କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ପ୍ରକାଶଥାଉକି, ଆଜି ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତାଙ୍କ ରହିତାଦେଶ ଆବେଦନକୁ ଖାରଜ କରିଛନ୍ତି ସୁରଟ ସେସନ କୋର୍ଟ । ବିବାଦୀୟ ମୋଦି ସାଙ୍ଗିଆ ମନ୍ତବ୍ୟ ପାଇଁ ଅପରାଧିକ ମାନହାନୀ ମାମଲାରେ ତଳ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ୨ ବର୍ଷର ଜେଲ୍ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାକୁ ସେ ସୁରଟ କୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର