ସୁବର୍ଣ୍ଣପୁର: ମ୍ୟାଲେରିଆ ନିରାକରଣ ଉପରେ ଟାସ୍କଫୋର୍ସ ଗଠନ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ସରକାରୀ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମ୍ୟାଲେରିଆ ନିରାକରଣ ଉପରେ ଟାସ୍କଫୋର୍ସ ଗଠନ ତଥା ସଚେତନତା ସୃଷ୍ଟି ପାଇଁ ଆୟୋଜିତ ବୈଠକରେ ଜିଲ୍ଲାପାଳ ଯୋଗଦେଇଥିଲେ । କିନ୍ତୁ ଏହି ବୈଠକରେ କିଛି ସରକାରୀ ଅଧିକାରୀ ଅନୁପସ୍ଥିତ ଥିଲେ । ଫଳରେ ଜିଲ୍ଲାପାଳ ମନୀଷା ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର ମ୍ୟାଲେରିଆ ନିରାକରଣ ଦିଗରେ କାର୍ଯ୍ୟ କରୁଥିବା ସଦର ପୌର ପରିଷଦ, ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକାରୀ , ଜିଲ୍ଲା ବନ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଦୁଇ ଜଣ ମେଡିକାଲ ଅଫିସର ଓ ଡିପିଏମ ଅନୁପସ୍ଥିତ ଥିଲେ ।
ସୂଚନାମୁତାବକ, ଜିଲ୍ଲାପାଳ ନିର୍ଦ୍ଧାରିତ ସମୟରେ ବୈଠକରେ ଯୋଗ ଦେଇଥିବାବେଳେ ନିମନ୍ତ୍ରିତ ଅନେକ ଅଧିକାରୀ ଆସି ନଥିଲେ । ଫଳରେ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କୁ ଅନୁପସ୍ଥିତ ଅଧିକାରୀଙ୍କ ତାଲିକା ମାଗିଥିଲେ । ଅଧିକାରୀଙ୍କ ଅନୁପସ୍ଥିତିରେ କିଭଳି ସଚେତନତା ହେବ ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ମ୍ୟାଲେରିଆରେ ଗରିବ ଜନସାଧାରଣ ପୀଡିତ ହେଉଥିବାବେଳେ ଏଦିଗରେ କାର୍ଯ୍ୟ କଲେ ଦେଶ, ଜାତି, ସମାଜ ତଥା ଭଗବାନ ବି ପ୍ରସନ୍ନ ହେବେ ବୋଲି କହିଥିଲେ ।
ମାତ୍ର 3 ଦିନ ତଳେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ ଅନୁପସ୍ଥିତ ଅଧିକାରୀଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ସାଧାରଣରେ ବେଶ ଚର୍ଚ୍ଚା ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ