ସୁବର୍ଣ୍ଣପୁର: ସନ୍ତାନ ଜନ୍ମ ହେବା ପୂର୍ବରୁ ମନରେ ଆନନ୍ଦଙ୍କର ଯେତିକି ଆନନ୍ଦ ଥିଲା ତାଠୁ ଅଧିକ ଆଶଙ୍କା ଭରି ରହିଥିଲା । କାରଣ ବଂଶର ଗୁଣ ଧର୍ମ ନେଇ ସନ୍ତାନଟି ଜନ୍ମ ନହେଉ । ଅପ୍ରତ୍ୟାଶିତ ଭାବେ ବ୍ୟତିକ୍ରମ ହୋଇ ସନ୍ତାନଟିଏ ଜନ୍ମ ହେଲେ ଭବିଷ୍ୟତରେ ପାରିବାରିକ ସମସ୍ୟାର ସମାଧାନ କରିବ । ହେଲେ ଏଇ ଆଶା ଆଶାରେ ହିଁ ରହିଗଲା । ଝିଅଟି ଜନ୍ନ ନେବାର କିଛି ଦିନ ପରେ ଜଣା ପଡିଲା ବାପା ଭାଇ ଯେଉଁ ଅଜଣା ରୋଗରେ ପୀଡିତ ଝିଅଟି ମଧ୍ୟ ସେଇ ଏକା ସମସ୍ୟା । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା କେନ୍ଦୁମୁଣ୍ଡା ଗାଁର ଅଭିଶପ୍ତ ଆନନ୍ଦ ଲୁହାଙ୍କ ପରିବାରର କଥା । ପରିବାରର ଅଳିଅଳି କୁନି ଝିଅ ସନ୍ଧ୍ୟା । ବୟସ ମାତ୍ର 3 । ହେଲେ ଜନ୍ମରୁ ଅଜଣା ରୋଗରେ ପୀଡିତ । ଅଜାଙ୍କ ଗୁଣ ଧର୍ମ ନେଇ ଜନ୍ମ ହୋଇଥିବାବେଳେ ଦିନକୁ ଦିନ ବିକଳାଙ୍ଗ ହୋଇ ଯାଉଛି । ମସ୍ତିଷ୍କର ବିକାଶ ହେଉ ନାହିଁକି ଶାରୀରିକ ବୃଦ୍ଧି ହେଉ ନାହିଁ । ସନ୍ଧ୍ୟାର ଚିକିତ୍ସା ପାଇଁ ଘରେ ଯାହା ଥିଲା ସବୁ ବିକ୍ରି କରି ଏବେ ପରିବାର ସର୍ବସ୍ବାନ୍ତ ।
ଆନନ୍ଦ ହେଉଛନ୍ତି ଜଣେ ଦିନ ମଜୁରିଆ । ଯାହା ମୂଳଲାଗି ଆଣନ୍ତି ସେଥିରେ ପରିବାରର ଚୁଲି ଜଳେ । ଆଉ ଅର୍ଥ କାହିଁ ଯେ ଝିଅ ଭାଇ ଓ ବୟସର ଅପରାହ୍ନରେ ପହଞ୍ଚିଥିବା ବୁଢୀ ମାର ଚିକିତ୍ସା କରାଇବେ । ଏପରି ସ୍ଥଳେ 3 ପ୍ରିୟ ପରିଜନଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଆନନ୍ଦ ଓ ତାଙ୍କ ପରିବାର । ତଥାପି ଝିଅର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୁର୍ଲା ବଡ ଡାକ୍ତରଖାନା ପର୍ଯ୍ୟନ୍ତ ଯାଇଛନ୍ତି ଆନନ୍ଦ । ବର୍ତ୍ତମାନ ଘରେ ନା ଅଛି କିଛି ସମ୍ପତ୍ତି ନା ଅଛି ରହିବା ପାଇଁ ବାସପଯୋଗୀ ଘର ଖଣ୍ଡିଏ । ଫଳରେ ଅତି ଦୟନୀୟ ଭାବେ ବଞ୍ଚୁଛନ୍ତି ଆନନ୍ଦଙ୍କ ପରିବାର । ଅଜଣା ରୋଗର ଶିକାର ଭାଇ , ନିଜ କୁନି ଝିଅ ସନ୍ଧ୍ୟା ଆଉ ପରିଣତ ବୟସରେ ପହଞ୍ଚିଥିବା ମା ର ଯତ୍ନ ନେବା ସହିତ ପରିବାରର ଆର୍ଥିକ ବୋଝ ପାଇଁ ଚଉଦିଗ ଯେପରି ଅନ୍ଧାର ହୋଇଛି ତାଙ୍କର । ପତ୍ନୀ ସମସ୍ତଙ୍କର ଯତ୍ନ ନେବା ପାଇଁ ଘରେ ବାନ୍ଧି ହୋଇ ରହି ଯାଉଥିବା ବେଳେ ଆନନ୍ଦ ବାହାରେ ମୂଲଲାଗି ଯାହା ଆଣନ୍ତି ସେଥିରେ ଚଳେ ପରିବାର । ଘରେ ଦିନେ ଚୁଲି ଜଳିଳେ ଦିନେ ନାଇଁ । ବଳକା କାହିଁ ଯେ ବଡ ଭାଇ ଓ ଝିଅର ଚିକିତ୍ସା କରିବେ । ଏବେ ଚିକିତ୍ସା ପାଇଁ କେବଳ ସରକାରୀ ସହାୟତାକୁ ହିଁ ଅପେକ୍ଷା କରିଛନ୍ତି ଆନନ୍ଦ ଲୁହା ଓ ପରିବାର। ଏହାସହ ସରକାରୀ ଆବାସ ଖଣ୍ଡିଏ ଯୋଗାଇ ଦେଲେ ପରିବାର କିଛି ଆଶ୍ବସ୍ତି ଅନୁଭବ କରନ୍ତେ ।