ସୁବର୍ଣ୍ଣପୁର: ବାତ୍ୟା ବନ୍ୟା ପୂର୍ବରୁ ସଜାଗ ରହିବାକୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ମୌସୁମୀର ଆଗମନ ପରେ ବର୍ଷା ହେବାକୁ ଥିବାବେଳେ ବାତ୍ୟା ବନ୍ୟା ଭଳି ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଚାଲିଛି । ଜରୁରୀକାଳୀନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ପୌର ପରିଷଦ କର୍ମଚାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀଙ୍କୁ ନେଇ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ସେହିପରି ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସମେତ ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲା ପୋଲିସ ଓ ଜିଲ୍ଲା ଅଗ୍ନିଶମ ବିଭାଗ ବେଶ୍ ତତ୍ପର ହୋଇଛି ।
ତେବେ ସହରର ଦୁଇ ବହୁମୁଖୀ ଆଶ୍ରୟସ୍ଥଳୀରେ ଆଜି ଓଡ୍ରାଫ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପାନ୍ଥଶାଳା ନିକଟବର୍ତ୍ତୀ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ସହରର ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସେହିପରି ବଲାଙ୍ଗୀର ଓଡ୍ରାଫ ଦଳ ଆସି ସହରର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ପଛରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଯୋଗଦେଇ ଦୁର୍ବିପାକ ଓ ବନ୍ୟା ବାତ୍ୟାର ପ୍ରଭାବରୁ ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାରର କୌଶଳର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।