ସୁବର୍ଣ୍ଣପୁର : ଗୁହାରି ଶୁଣିଲାନି ପ୍ରଶାସନ । ଶୀତ ଦିନରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନକରିବା ପାଇଁ ପ୍ରଶାସନ ପାଖରେ ତିନୋଟି ପରିବାର ଲୋକେ ଗୁହାରି କରିଥିଲେ । ପିଲା ଛୁଆ ଧରି ଧାରଣା ବି ଦେଇଥିଲେ । ହେଲେ ପ୍ରଶାସନ ଏମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା । ସରକାରୀ ଜମିରେ ଘର କରି ରହୁଥିବା ଏହି ପରିବାରମାନଙ୍କୁ ତଡ଼ି ଦେଇଛି ପ୍ରଶାସନ (administration demolished)। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଛକ ଡିଏଓ କଲୋନୀରେ ।
ଏହି କଲୋନୀର ରାସ୍ତାର ଡାହାଣ ପାର୍ଶ୍ବରେ ବହୁ ବର୍ଷ ହେଲା ଏମାନେ ଘର କରି ରହି ଆସୁଥିଲେ । ଜବରଦଖଲ ଉଚ୍ଛେଦ ପାଇଁ ସୁମନ୍ତ ସାହୁ, ହରି ସାହୁ ଓ ଅର୍ଜୁନ ସାହୁ ଏହି ତିନୋଟି ପରିବାରକୁ ରାଜସ୍ୱ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ନୋଟିସ୍ ପାଇବାପରେ ଉକ୍ତ ପରିବାର ଗୁଡିକ ବେପରୁଆ ହୋଇ ଯାଗା ଛାଡି ନଥିଲେ । ତୁରନ୍ତ ଘର ଛାଡିବା ପାଇଁ ପୁଣି କୁହାଯିବାରୁ ଏହି ପରିବାରମାନେ ଛୁଆ ପିଲା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।