ଓଡିଶା

odisha

ETV Bharat / state

ବନ୍ୟା ଧୋଇନେଲା ଏନଏଚ୍‌ 57; ଯାତାୟତ ବାଧାପ୍ରାପ୍ତ

ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ରୁ ତରଭା ସହରକୁ ଯାଇଥିବା ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଫଳରେ ଚାରି ଚରିଆ ଗାଡି, ମାଲ ବୋଝେଇ ଟ୍ରକ ଓ ଭାରି ଯାନ ଚଳାଚଳରେ ବାଧାପ୍ରାପ୍ତ ହେଉଛି ।

By

Published : Aug 16, 2019, 9:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: କମିଯାଇଛି ବର୍ଷା, ହେଲେ ସୁଧୁରିନି ସ୍ଥିତି । ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ମୁଖ୍ୟ ରାସ୍ତା । ବନ୍ୟାପାଣିରେ ଉବୁଡୁବୁ ନଈଁକୂଳିଆ ଗାଁ । ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରୁ ତରଭା ସହରକୁ ଯାଇଥିବା ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଫଳରେ ମାଲ ବୋଝେଇ ଟ୍ରକ ଓ ଭାରି ଯାନର ଚଳାଚଳରେ ବାଧା ଉପୁଜିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ତରଭା ସହରକୁ ଯାଇଥିବା ମୁଖ୍ୟ ରାସ୍ତା ନିକଟରେ ଥିବା ଅନେକ ସ୍ଥାନ ଏବେ ବି ପାଣି ଘେରରେ । ଗତ କିଛିଦିନ ଭିତରେ ନିର୍ଧୁମ ବର୍ଷା ଯୋଗୁଁ ତେଲ ନଦୀ, ସୁକତେଲ, ନିବୃତ୍ତି, ଯୋର ନାଳର ବଢି ପାଣି ସହର ଭିତରେ ମାଡି ଆସିଥିଲା । ଫଳରେ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ବନ୍ୟା ପରିସ୍ଥିତି ସ୍ବାଭିକ ହେବା ମାତ୍ରେ ଦେଖିବାକୁ ମିଳିଛି ମୁଖ୍ୟ ରାସ୍ତାର ଦୁର୍ଦ୍ଦଶା । ଏଠାରେ ରାସ୍ତା ଉପରେ ପାଣି ନାହିଁ ହେଲେ ରାସ୍ତା କଡରେ ଥିବା ଗଛ ଉପୁଡିଯାଇ ରାସ୍ତା ମଝିରେ ପଡିରହିଛି । ଫଳରେ ଚାରି ଚକିଆ ଯାନ ଚଳାଚଳରେ ବାଧା ଉପୁଜିଛି ।

ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତିଆରି ହୋଇଥିବା ଯାତ୍ରୀ ବିଶ୍ରାମାଗାର ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ରାସ୍ତାଟି ଦୁଇଫାଳ ହୋଇ ଲମ୍ବାରେ ଫାଟି ଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବର ମାଟି ଧୋଇ ହୋଇ ଖାଲଖମା ସୃଷ୍ଟି ହୋଇଛି । ଏବେ ବି ସହରର ତଳିଆ ଅଞ୍ଚଳରେ ବନ୍ୟାପାଣି ଜମି ରହିଛି । ନଦୀକୂଳରେ ଥିବା ଅନେକ ଉଠା ଜଳସେଚନ ପ୍ରକଳ୍ପ ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟାପାଣି କମିବା ପରେ ପ୍ରକଳ୍ପ ଗୁଡିକର ପୁନଃରୁଦ୍ଧାର କରିବାକୁ ଚାଷୀମାନେ ପ୍ରଶାସନ ପାଖରେ ଦାବି କରିଛନ୍ତି ।

ସେପଟେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି । ଜିଲ୍ଲାପାଳ ମନୀଷା ବାନାର୍ଜୀ ବନ୍ୟାର ପରବର୍ତ୍ତି ସମୟରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ତରଭା ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details