ସୁବର୍ଣ୍ଣପୁର:ସୋନପୁର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସଦର ପୌର ପରିଷଦର ସଫେଇ କର୍ମଚାରୀ ସଂଘ ପକ୍ଷରୁ ଆଜି ସହରରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କିଛି ସଫେଇ କର୍ମୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରି ଦିଆଯାଇଥିବା ଅଭିଯୋଗ କରି ଏହି ବନ୍ଦ ପାଳନ କରାଯାଉଥିବା ସୂଚନା ରହିଛି । ଗତକାଲି(ବୁଧବାର) ସଫେଇ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଥିଲା ।
ବନ୍ଦ ପାଳନ ଫଳରେ ସହରର ଦୋକାନ ବଜାର, ସ୍କୁଲ କଲେଜ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଆଦି ବନ୍ଦ ହେବା ସହିତ ଗାଡି ମୋଟର ଚଳାଚଳ ବି ବନ୍ଦ ରହିଛି । ସଫେଇ କର୍ମଚାରୀମାନେ ସହରର ନଳିନୀ ଛକ ଓ ବ୍ଳକ ଛକ ପ୍ରବେଶ ପଥରେ ରାସ୍ତା ଅବରୋଧ କରି ଏହି ବନ୍ଦ ପାଳନ କରୁଛନ୍ତି । ବୁଧବାର ସଫେଇ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଥିବା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ଦ ପାଳନକୁ ସମର୍ଥନ କରିବା ପାଇଁ ସହରବାସୀଙ୍କୁ ସଫେଇ କର୍ମଚାରୀ ସଂଘ ଅନୁରୋଧ କରିଥିଲେ । ତେବେ ସଫେଇ କର୍ମଚାରୀଙ୍କ ସହିତ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ଆଲୋଚନା ବିଫଳ ହେବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଖବରଅନୁସାରେ, ପୌର ପରିଷଦ ପକ୍ଷରୁ ସହରର ପରିଷ୍କାର ପରିଛନ୍ନତା ପାଇଁ ଏକ ଘରୋଇ କମ୍ପାନୀକୁ ଠିକା ପ୍ରଦାନ କରାଯାଇଥିଲା । କମ୍ପାନୀ ପାଖରେ ପ୍ରାୟ 120 ଜଣ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିଲେ । ତେବେ ଗତ ଡିସେମ୍ବର ମାସରେ କମ୍ପାନୀର କାର୍ଯ୍ୟ ଅବଧି ଶେଷ ହେବା ପରେ ପୌର ପରିଷଦ ସଫେଇ କାର୍ଯ୍ୟ ନିଜ ହାତକୁ ନେଇଥିଲା । ତେବେ କମ୍ପାନୀରେ କାର୍ଯ୍ୟ କରୁଥିବା କିଛି ସଫେଇ କର୍ମଚାରୀଙ୍କୁ ପୌର ପରିଷଦ ପୁନଃ ନିଯୁକ୍ତି ନଦେବାରୁ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି ।