ସୁବର୍ଣ୍ଣପୁର :ଉଦଯାପିତ ହେଲା ଜିଲ୍ଲା ଲୋକ ମହୋତ୍ସବ ସୁବର୍ଣ୍ଣ-2023 । ପଶ୍ଚିମ ଓଡିଶାର ବିଭିନ୍ନ ପ୍ରକାରର ଲୋକନୃତ୍ୟରେ ଦୁଲୁକି ଉଠିଥିଲା ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ନିଜ ନିଜର ଲୋକନୃତ୍ୟ ପରିବେଷଣ କରି ଦେଖଣାହାରୀଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ । ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ ରସରକେଲୀ, ଡାଲଖାଇ, ମାଏଲାଜଡ, ଚୁଟକୁଚୁଟା ଆଦି ଲୋକନୃତ୍ୟକୁ ବେଶ୍ ଉପଭୋଗ କରିଥିଲେ ଦର୍ଶକ ।
ସେହିପରି ଢୋଲ, ନିଶାନ, ତାସା, ମହୁରୀ ଆଦି ବାଦ୍ୟ ଯନ୍ତ୍ରରେ ବଜାଶାଲର ଗୁରୁଗମ୍ଭୀର ଧ୍ବନିରେ ଫାଟି ପଡୁଥିଲା ମହୋତ୍ସବ ପଡିଆ । ଏଥର ସୁବର୍ଣ୍ଣ-2023ରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବି ମଞ୍ଚ ଉପରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଯାହା ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା । ଏହି ମହୋତ୍ସବର ଉଦଯାପନୀ ରାତିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଯାଦୁ ପ୍ରଦର୍ଶନ କରିଥିଲେ । ଯାଦୁ ବାକ୍ସ ଭିତରେ ମଣିଷକୁ ପୁରାଇଥିଲେ । ଏହାପରେ ଯାଦୁ ବାକ୍ସର ବିଭିନ୍ନ ପାର୍ଶ୍ବରୁ ଧାର ତଲୁଆର୍ ପୁରାଇଥିଲେ । ହେଲେ ବାକ୍ସ ଖୋଲିବା ବେଳକୁ ସେଥିରେ ଭର୍ତ୍ତି ହୋଇଥିବା ମଣିଷ ଅକ୍ଷତ ଭାବେ ବାହାରିବା ବେଶ ଚିତ୍ତାକର୍ଷକ ଥିଲା ।