ସୁବର୍ଣ୍ଣପୁର: ଜିଲ୍ଲାରେ କୋଭିଡ19 ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢି ବଢି ଚାଲିଛି । ମହାମାରୀକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପ୍ରଶାସନର କଟକଣା ଅପରାହ୍ନ 4ଟାରେ ବଜ଼ାର ବନ୍ଦ କରିଛି ।
ସୁବର୍ଣ୍ଣପୁର ଜିଲ୍ଲାରେ ସୋମବାରରୁ ଶୁକ୍ରବାର ଯାଏଁ ସକାଳ 7ଟାରୁ ଅପରାହ୍ନ 4ଟା ଯାଏଁ ଜୀବନ ଯାତ୍ରା ସ୍ବାଭାବିକ ରହୁଥିବା ବେଳେ ଅପରାହ୍ନ 4ଟାରୁ ପରଦିନ ସକାଳ 7ଟା ଯାଏଁ ଲକ ଡାଉନ ଲାଗି ରହୁଛି । ଜୁଲାଇ ମାସର ପ୍ରତିଟି ସପ୍ତାହରେ ଶନିବାର ଓ ରବିବାର ଦୁଇଦିନ ପାଇଁ ସଟ ଡାଉନ କରାଯାଉଛି । ତେବେ ସୁବର୍ଣ୍ଣପୁର ସହରରେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ମାଣିକେଶ୍ବରୀ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । କଣ୍ଟେନମେଣ୍ଟ ଜୋନରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ସହିତ ଏହି ଅଞ୍ଚଳର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଜିଲ୍ଲାପାଳ ମନୀଷା ବାନର୍ଜୀ ପାଞ୍ଚ ଜଣ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ।