ସୁବର୍ଣ୍ଣପୁର: ଦିନକୁ ଦିନ ବଢିବାରେ ଲାଗିଛି ବଜ୍ରକାପ୍ତା ଚୋରା ଚାଲଣ । ସୁବର୍ଣ୍ଣପୁରର ସଦର ବ୍ଳକ ଅନ୍ତର୍ଗତ ଲଛିପୁର ଅଞ୍ଚଳରୁ ଦୁଇଟି ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗର ଏସଟିଏଫ (ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ) । ଏସଟିଏଫ ଦୁଇ ଗୋଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାରେ ସଫଳ ହୋଇଛି । ଏହି ଜୀବନ୍ତ ବଜ୍ରକାପ୍ତା ଦୁଇଟିକୁ ଦୁଇ ବେପାରୀଙ୍କ ପାଖରୁ ଜବତ କରିବା ସହ ଉଭୟ ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଏସଟିଏଫ ।
ତେବେ ବନ ବିଭାଗର ସୂଚନାନୁଯାୟୀ, ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାର ଏକ ଗଛ ତଳେ ଜୀବନ୍ତ ବଜ୍ରକାପ୍ତା ଦୁଇଟିକୁ ଧରି ବେପାରୀଙ୍କୁ ବିକିବା ପାଇଁ ଅପେକ୍ଷା କରିଥିଲେ ଡିଲର । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ ଏସଟିଏଫ ଚଢାଉ କରିଥିଲା । ଅଭିଯୁକ୍ତମାନଙ୍କ ପାଖରୁ 7 କେଜି ଓ 3 କେଜି ବିଶିଷ୍ଟ ଦୁଇ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ଅଭିଯୁକ୍ତମାନଙ୍କୁ ଏସଟିଏଫ ଗିରଫ କରିଛି । ଅଭିଯୁକ୍ତ ଦ୍ବୟ ଲଛିପୁର ଥାନା ଅନ୍ତର୍ଗତ ଝାଙ୍କର ପାଲି ଗାଁର ଦୁଇ ଭାଇ ବ୍ୟାସଦେବ ଧରୁଆ ଓ ନବଦୀବ ଧରୁଆ ବୋଲି ଜଣାପଡିଛି । ଏସଟିଏଫ ବନଖଣ୍ଡ ଅଧିକାରୀଙ୍କୁ ଦୁଇ ଅଭିଯୁକ୍ତଙ୍କ ସମେତ ଦୁଇ ଜୀବନ୍ତ ବଜ୍ରକାପ୍ତାକୁ ହସ୍ତାନ୍ତର କରିଛି ।